ଆମେରିକାର ଅସ୍ତ୍ର ବେପାର

ବିଶ୍ବ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛି, ଲାଗୁଛି ଦୁଇଟି ବିଶ୍ବଯୁଦ୍ଧ ଦେଖି ସାରିଥିବା ପୃଥିବୀବାସୀ ଖୁବ୍‌ଶୀଘ୍ର ଆଉ ଏକ ବିଶ୍ବଯୁଦ୍ଧର ସମ୍ମୁଖୀନ ହେବ। କାରଣ ୨୦୨୨ ଫେବୃୟାରୀରୁ ଚାଲିଛି ରୁଷିଆ-ୟୁକ୍ରେନ ଯୁଦ୍ଧ। ଆଉ ଗତ ଅକ୍ଟୋବର ୭ରୁ ମଧ୍ୟପ୍ରାଚ୍ୟ ଦେଶ ଇସ୍ରାଏଲ ଓ ପାଲେଷ୍ଟାଇନର ହମାସ୍‌ ଆତଙ୍କୀଙ୍କ ମଧ୍ୟରେ ନିଜର ଅସ୍ତିତ୍ୱକୁ ନେଇ ଜାରି ରହିଛି ଲଢ଼େଇ। ଏହି ଯୁଦ୍ଧ ବିଶ୍ବକୁ ମଧ୍ୟ ଦୁଇଭାଗରେ ବିଭକ୍ତ କରି ଦେଇଛି। ଗୋଟିଏ ପଟେ ମୁସଲିମ୍‌ ଦେଶଙ୍କ ସଂଗଠନ (ଓଆଇସି) ସହ ଇରାନ, ଲେବାନନ, ସିରିୟା, ନର୍ଥ କୋରିଆ, ତୁର୍କୀ ଭଳି ଦେଶ ପାଲେଷ୍ଟାଇନ ସମର୍ଥନରେ ବାହାରିଥିବା ବେଳେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ ଜଣାଇଛନ୍ତି। ଯୁଦ୍ଧର ପ୍ରଖରତା ଭିତରେ ଇସ୍ରାଏଲକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ତେଲ୍‌ ଆବିଭ୍‌ରେ ଭେଟି ତାଙ୍କ ମନୋବଳ ବଢ଼ାଇ ଫେରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭଳି ଅନେକ ରାଷ୍ଟ୍ରମୁଖ୍ୟମାନେ। କିନ୍ତୁ ଯୁଦ୍ଧକୁ ନେଇ ଚାଇନା ଓ ରୁଷିଆ ୱେଟ ଆଣ୍ଡ ୱାଚ କୂଟନୀତିରେ ଏକପ୍ରକାର ନୀରବତା ଅବଲମ୍ବନ କରୁଛନ୍ତି। ଭାରତ, ଚାଇନା, ରୁଷିଆ ଟୁ-ଷ୍ଟେଟ ସଲ୍ୟୁଶନ ଥିଓରିରେ ସ୍ବତନ୍ତ୍ର ପାଲେଷ୍ଟାଇନ ରାଷ୍ଟ୍ର ସପକ୍ଷରେ ମତ ରଖିଛନ୍ତି। ଯୁଦ୍ଧକୁ ନେଇ ଆମେରିକା ଇସ୍ରାଏଲକୁ ଏକପାଖିଆ ସମର୍ଥନ ଜାରି ରଖିଥିବା ବେଳେ ଯୁଦ୍ଧର ୩୦ ଦିନ ଭିତରେ ୩ଥର ଇସ୍ରାଏଲ ଗସ୍ତ କରି ସାରିଲେଣି ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ। ତେବେ ଯୁଦ୍ଧକୁ ନେଇ ଗୋଟିଏ ପ୍ରମୁଖ ପ୍ରସଙ୍ଗ ବେଶି ଚର୍ଚ୍ଚାକୁ ଆସିଛି ତାହା ହେଲା ଯୁଦ୍ଧ ପଛରେ ଆମେରିକାର ଅସ୍ତ୍ର ବେପାର ସ୍ବାର୍ଥ।
ବିଶ୍ବ ଦେଖି ସାରିଥିବା ଅନେକ ଛୋଟ ବଡ଼ ଯୁଦ୍ଧ ଯେମିତି କି ଆଫଗାନିସ୍ତାନରେ ତାଲିବାନ ବିରୋଧରେ ଆମେରିକା ଯୁଦ୍ଧ ହେଉ କି ଇରାକରୁ ଏକଚ୍ଛତ୍ରବାଦୀ ସଦ୍ଦାମ ହୁସେନଙ୍କୁ ହଟାଇବା ହେଉ ସବୁ ଯୁଦ୍ଧ ପଛରେ ଆମେରିକାର ବୃହତ୍‌ ସ୍ବାର୍ଥ ଯୁଦ୍ଧାସ୍ତ୍ର ବେପାର। ବିଶ୍ବରେ ଯେତେ ଅସ୍ଥିରତା ଦେଖାଦେଇଛି ସେଥିରୁ ଆମେରିକା ଫାଇଦା ଉଠାଇବାକୁ ଚେଷ୍ଟା କରିଛି। ବିଶ୍ବର ଅସ୍ତ୍ରଶସ୍ତ୍ର କିଣାବିକା ପ୍ରତିଯୋଗିତାର ସିଂହଭାଗ ବ୍ୟବସାୟକୁ ନିୟନ୍ତ୍ରଣ କରି ନିଜ ଅର୍ଥନୀତିକୁ ସୁଦୃଢ଼ କରୁଛି ଆମେରିକା। ୨୦୨୨ରେ ଆମେରିକାର ଯୁଦ୍ଧାସ୍ତ୍ର ବିକ୍ରି ୪୦ପ୍ରତିଶତ ବୃଦ୍ଧି ପାଇଛି। କେବଳ ବିଭିନ୍ନ ରାଷ୍ଟ୍ର ନୁହନ୍ତି, ଆମେରିକାର ଅସ୍ତ୍ର ପାଲେଷ୍ଟାଇନର ହମାସ୍‌ ଆତଙ୍କୀଙ୍କଠାରୁ ଆରମ୍ଭ କରି କଶ୍ମୀରକୁ ଦୀର୍ଘବର୍ଷ ଧରି ଅଶାନ୍ତ କରି ରଖିଥିବା ଆତଙ୍କବାଦୀଙ୍କ ହାତରେ ମଧ୍ୟ ଦେଖିବାକୁ ମିଳୁଛି। ଆମେରିକା ବିଭିନ୍ନ ଦେଶ ସହ ପ୍ରତିରକ୍ଷା ଚୁକ୍ତିକରି ସେମାନଙ୍କୁ ଅସ୍ତ୍ର ବିକ୍ରି କରି ଲାଭବାନ ହେଉଛି। କଶ୍ମୀରରୁ କାନ୍ଦାହାର, ବେଲୁଚିସ୍ତାନରୁ ପାଲେଷ୍ଟାଇନ ଆତଙ୍କୀମାନେ ମଧ୍ୟ ଆମେରିକାର ଏମ୍‌-୪ ଆସଲ୍ଟ ରାଇଫଲ ସବ୍‌ ଭଳି ବିଭିନ୍ନ ଯୁଦ୍ଧାସ୍ତ୍ର ବ୍ୟବହାର କରୁଥିବାର ପ୍ରମାଣ ମିଳିଛି। ତେବେ ପ୍ରଶ୍ନ ଉଠୁଛି ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦ ଆକ୍ରମଣ ପରେ ବିଶ୍ବରୁ ଆତଙ୍କବାଦ ମୂଳୋତ୍ପାଟନ ପାଇଁ ପ୍ରତିଜ୍ଞା କରି ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ଆମେରିକା ପୁଣି ତା’ର ଅସ୍ତ୍ର ସେହି ଆତଙ୍କୀଙ୍କ ହାତରେ ପଡୁଛି କେମିତି? ଆମେରିକା କ’ଣ ଆତଙ୍କୀମାନଙ୍କୁ ବି ଯୁଦ୍ଧାସ୍ତ୍ର ବିକ୍ରି କରୁଛି ? କାରଣ ଅକ୍ଟୋବର ୭ରେ ହମାସ୍‌ ଆତଙ୍କୀ ମାନେ ଇସ୍ରାଏଲ ଉପରେ ଯେଉଁ ଆକ୍ରମଣ କରିଥିଲେ ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଆମେରିକା ନିର୍ମିତ ବୋଲି ଜଣାପଡ଼ିଛି। ପୂର୍ବରୁ ମଧ୍ୟ ପାକିସ୍ତାନର ଜୈସ- ଇ ମହମ୍ମଦ, ଲଶ୍କର-ଇ ତୋଇବା ଆତଙ୍କୀ ସଂଗଠନ ହାତରେ ଆମେରିକା ନିର୍ମିତ ବନ୍ଧୁକ ଓ ଯୁଦ୍ଧାସ୍ତ୍ର ରହିଥିବା ପ୍ରମାଣ ମିଳିସାରିଛି।
ଆମେରିକା ବିଶ୍ବକୁ ନିରସ୍ତ୍ରୀକରଣର ନାରା ଦେଇ ନିଜେ ଅସ୍ତ୍ରଶସ୍ତ୍ର ତିଆରି ଓ ବିକ୍ରି କରି ନିଜ ଅର୍ଥନୀତିକୁ ସମୃଦ୍ଧ କରି ଚାଲିଛି। ଇସ୍ରାଏଲକୁ ସହଯୋଗ ସ୍ବରୂପ ଆମେରିକା ୪୫ଟି ଟ୍ରକ ବୋଝେଇ ଅସ୍ତ୍ରଶସ୍ତ୍ର ପଠାଇଥିବା ବେଳେ ନଭେମ୍ବର ୪ରେ ରାଷ୍ଟ୍ରପତି ଜୋ. ବାଇଡେନ ଇସ୍ରାଏଲକୁ ୧୨.୩ ବିଲିୟନ ଡଲାରର ସାମରିକ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି। ଷ୍ଟକହୋମ ପିସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଶନର ରିପୋର୍ଟର ତଥ୍ୟରେ ୨୦୧୩ରୁ ୨୦୧୭ ମଧ୍ୟରେ ୧୪ପ୍ରତିଶତ ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବା ଆମେରିକା ୨୦୨୨ରେ ଏହାକୁ ୪୦ପ୍ରତିଶତକୁ ବୃଦ୍ଧି କରିଛି। କେବଳ ୨୦୨୨ରେ ଆମେରିକା ବିଦେଶକୁ ୨୦୫.୬ ବିଲିୟନ ଡଲାର ଯୁଦ୍ଧାସ୍ତ୍ର ବିକ୍ରି କରିଛି। ଆମେରିକାର ବିଭିନ୍ନ ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା କମ୍ପାନୀମାନେ ପ୍ରତ୍ୟକ୍ଷ ଭାବେ ୧୫୩ବିଲିୟନ ଡଲାର ଯୁଦ୍ଧାସ୍ତ୍ର ବିକ୍ରି କରିଥିବା ବେଳେ ଆମେରିକା ୫୧.୯ବିଲିୟନ ଡଲାରର ଯୁଦ୍ଧାସ୍ତ୍ର ବିଭିନ୍ନ ଦେଶକୁ ବିକ୍ରି କରିଛନ୍ତି।
ବିଶ୍ବରେ ମୋଟ ସାମରିକ ଖର୍ଚ୍ଚ ଅଟକଳ ୨ ଟ୍ରିଲିୟନ ଡଲରାକୁ ଟପିଛି। ଯୁଦ୍ଧାସ୍ତ୍ର କିଣାବିକା ବ୍ୟବସାୟରେ ସବୁଠୁ ଆଗରେ ରହିଛି ଆମେରିକା, ତା’ପରେ ଚାଇନା ଓ ତୃତୀୟରେ ରହିଛି ଭାରତ। ବିଶେଷ କରି କୋଭିଡ୍‌ ମହାମାରୀ ସମୟରେ ଯୁଦ୍ଧାସ୍ତ୍ର କିଣାବିକା ପ୍ରତିଯୋଗିତା ଅଧିକ ବୃଦ୍ଧି ପାଇଛି। ରୁଷିଆ- ୟୁକ୍ରେନ ଯୁଦ୍ଧ ପରେ ଆମେରିକାର ପ୍ରତିରକ୍ଷା ସାମଗ୍ରୀ ନିର୍ମାତା କମ୍ପାନୀ ଲକିିଡ ମାର୍ଟିନ ୪.୮ ବିଲିୟନ ଡଲାରର କଣ୍ଟ୍ରାକ୍ଟ ପାଇଛି। ୨୦୨୨ରେ ଆମେରିକା ୧୩.୯ ବିଲିୟନ ଡଲାର ଏଫ ୧୫ ଆଇଡି ଫାଇଟର୍‌ ଜେଟ୍‌ ଇଣ୍ଡୋନେସିଆକୁ, ୬.୯ ବିଲିୟନ ଡଲାର ମଲ୍ଟି ମିଶନ ସର୍ଫେସ କମ୍ପାଟ ସିପ ଗ୍ରିସକୁ, ୬ ବିଲିୟନ ଡଲାର ଏମ୍‌୧ଏ୨ ଆବ୍ରମସ ଟ୍ୟାଙ୍କ ପୋଲାଣ୍ଡକୁ ବିକ୍ରି କରିଛି। ଆବ୍ରମସ ଟ୍ୟାଙ୍କ, ବୋଇଙ୍ଗି ବିମାନ,ଏଫ-୧୫ ଯୁଦ୍ଧ ଜାହାଜଗୁଡ଼ିକ ଆମେରିକାର ଜେନେରାଲ ଡାଇନାମିକ କମ୍ପାନୀ ତିଆରି କରୁଥିବା ବେଳେ, ନୌଜାହାଜଗୁଡିକ ନିର୍ମାଣ କରୁଛି ଲକ୍‌ ହିଡ୍‌ ମାର୍ଟିନ କର୍ପୋରେଶନ। ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାତା କମ୍ପାନୀମାନେ ସରକାରଙ୍କ ଅନୁମତିରେ ବିଦେଶକୁ ବିକ୍ରି କରିଥାନ୍ତି। ଏହାସହ ଏମ୍ବାସୀ ମାଧ୍ୟମରେ ମଧ୍ୟ ନିଜେ ସରକାର ବିଦେଶକୁ ଯୁଦ୍ଧାସ୍ତ୍ର ବିକ୍ରି କରୁଛନ୍ତି। ଆମେରିକାଠାରୁ ସର୍ବାଧିକ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶ ତାଲିକାରେ ପ୍ରଥମରେ ସାଉଦି ଆରବ ପରେ କ୍ରମାନ୍ବୟରେ ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ରହିଛନ୍ତି। ୨୦୨୨ପରେ ଭାରତ ରୁଷିଆରୁ କିଣୁଥିବା ଯୁଦ୍ଧାସ୍ତ୍ର ୩୭ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଆମେରିକା ଉପରେ ଅଧିକ ନିର୍ଭରଶୀଳ ହୋଇଛି। ଆଇଏସ୍‌ଆଇ ଆତଙ୍କୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଆମେରିକାରୁ ପାଖାପାଖି ୪୦ପ୍ରତିଶତ ଅସ୍ତ୍ର କିଣିଛନ୍ତି। ୨୦୨୩ ଏପ୍ରିଲ ସୁଦ୍ଧା ଆମେରିକା ସହ ଭାରତ ୩ଶହ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ରାଜିନାମା କରିଛି। ଆମେରିକା ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ ଯୁଦ୍ଧାସ୍ତ୍ର ବେପାର କୂଟନୀତିରେ ନିଜ ଅର୍ଥନୀତିକୁ ସମୃଦ୍ଧ କରିବା ମୂଳଲକ୍ଷ୍ୟ ରଖିଛି।

  • ଲଳିତେନ୍ଦୁ ପଲାଉରୀ
    ମୋ: ୯୭୭୮୬୯୭୦୩୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri