ଆମେରିକୀୟ ର଼୍ୟାପର୍‌ଙ୍କୁ ଗୁଳି କରି ହତ୍ୟା

ଓ୍ବାଶିଂଟନ୍‌, ୨ା୧୧: ଆମେରିକୀୟ ର଼୍ୟାପର୍‌ ଟେକ୍‌ଅଫ୍‌ଙ୍କୁ ମଙ୍ଗଳବାର ଗୁଳି କରି ହତ୍ୟା କରାଯାଇଛି। ଟେକ୍ସାସ୍‌ ହୋଷ୍ଟନ୍‌ରେ ଥିବା ବୋଲିଙ୍ଗ ଆଲିରେ ଡାଇସ୍‌ ଗେମ୍‌କୁ କେନ୍ଦ୍ର କରି ଟେକ୍‌ଅଫ୍‌ ଓ କେତେଜଣ ଯୁବକଙ୍କ ସହ କଥା କଟାକଟି ହୋଇଥିଲା। ପାଟିତୁଣ୍ଡ କାରଣରୁ ସେଠାରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଜମା ହୋଇଯାଇଥିଲେ। ଗହଳି ଭିତରୁ କେହିଜଣେ ଟେକ୍‌ଅଫ୍‌ଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅନ୍ୟ ୨ ଜଣ ଆହତ ହୋଇଥିବାବେଳେ ନିକଟସ୍ଥ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଛି। ନିଜର ଏକ ମ୍ୟୁଜିକ୍‌ ଭିଡିଓ ଲଞ୍ଚ ପାଇଁ ଟେକ୍‌ଅଫ୍‌ ବୋଲିଙ୍ଗ ଆଲି ଯାଇଥିବା କୁହାଯାଉଛି। ୨୮ ବର୍ଷୀୟ ର଼୍ୟାପର୍‌ ଗ୍ରାମୀ ଆଓ୍ବାର୍ଡ ପାଇଁ ନୋମିନେଟେଡ୍‌ ହୋଇଥିଲେ। ୨୦୧୫ରେ ‘ୟଙ୍ଗ୍‌ ରିଚ୍‌ ନେଶନ୍‌’ ଜରିଆରେ ଟେକ୍‌ଅଫ୍‌ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ।

Share