୭୮ ବର୍ଷରେ ବାଇଡେନ୍‌: ଡେଟିଂରେ ଯାଇଥିବା ବେଳେ ପାଖରେ ବିଲ୍ ଭରିବାକୁ ଅର୍ଥ ନ ଥିଲା

ୱାଶିଂଟନ, ୨୦ ।୧୧: ଆମେରିକାର ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନ୍ ୭୮ ବର୍ଷରେ ପଦାର୍ପଣ କରଛନ୍ତି । ସେ ବତ୍ତମାନ ଆମେରିକାର ସବୁଠାରୁ ଅଧିକ ବୟସର ରାଷ୍ଟ୍ରପତି । ଯାହାକୁ ନେଇ ରାଷ୍ଟ୍ରପତି ନିର୍ବାଚନ ସମୟରେ ଡୋନାଲ୍ଡ ଟ୍ରମ୍ପ ସ୍ଲିପି ଜୋ ବୋଲି କହୁଥିଲେ । ଟ୍ରମ୍ପଙ୍କ କହିବା କଥା ହେଲା ଏତେ ବୟସର ବ୍ୟକ୍ତିଙ୍କ ହାତରେ ଆମେରିକା ଦାୟିତ୍ୱ ଦିଆ ନ ଯାଉ । କାରଣ ଏହା ଆଗକୁ ବିପଦପୂର୍ଣ୍ଣ ହୋଇପାରେ । ତେବେ ବାଇଡେନଙ୍କ ଜୀବନୀ ଉପରେ ନଜର ପକାଇଲେ ଜଣାପଡେ ସ୍କୁଲରେ ପଢୁଥିବା ସମୟରେ ସେ ଏତେ ଲୋକପ୍ରିୟ ନ ଥିଲେ । ହେଲେ ସେ ସ୍କୁଲର ପ୍ରେସିଡେଣ୍ଟ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ପରେ ତାଙ୍କୁ ଷ୍ଟୁଡେଣ୍ଟ ୟୁନିୟନର ପ୍ରେସିଡେଣ୍ଟ କରାଇ ଦିଆଯାଇ ନ ଥିଲା । ବାଇଡେନ ତାଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଡେଲାବେୟରରେ ସମାପ୍ତ କରିଛନ୍ତି । ତେବେ ଯୁବାବସ୍ଥାରେ ପ୍ରେମ କରି ବସିଥିଲେ ବାଇଡେନ । ଯେତେବେଳେ ସେ ପ୍ରଥମଥର ନିଲିୟା ହଣ୍ଟରଙ୍କୁ ଭେଟିଲେ ସେତେବେଳେ ସେ ତାଙ୍କ ପ୍ରେମରେ ପଡି ଯାଇଥିଲେ । ଆଉ ତାଙ୍କୁ ଡେଟିଂରେ ନେଇ ଯାଇଥିବା ବେଳେ ରେସ୍ତୋରାଁ ବିଲ୍ ଭରିବାକୁ ବାଇଡେନଙ୍କ ପାଖରେ ଅର୍ଥ ନ ଥିବାରୁ ନିଲିୟା ରେସ୍ତୋରାଁ ବିଲ୍ ଦେଇଥିଲେ । ଏହାପରଠାରୁ ନିଲିୟାଙ୍କ ପ୍ରତି ବାଇଡେନଙ୍କ ପ୍ରେମ ଥିଲା ଅକଳନୀୟ । ଶେଷରେ ଉଭୟ ବିବାହ କରିଥିଲେ । ହେଲେ ୧୯୭୨ରେ ନିଲିୟା ଓ ତାଙ୍କ ୧ ବର୍ଷର ପୁଅଙ୍କର ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହାପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ବାଇଡେନ । ଏମିତିକି ଅନେକଥର ସେ ଆତ୍ମହତ୍ୟା କରିବାକୁ ବି ମନ ବଳାଇଥିବା ପ୍ରକାଶ କରିଛନ୍ତି । ନିଲିୟା ତାଙ୍କୁ ଜଣେ ବଡ ରାଜନେତା ଭାବେ ଦେଖିବାର ସ୍ୱପ୍ନ ଦେଖୁଥିବା ବେଳେ ଏବେ ତାହା ସମ୍ପୂର୍ଣ୍ଣ ହୋଇଛି ବୋଲି କୁହନ୍ତି ବାଇଡେନ୍ ।

Share