ଆମେରିକା ଦେବ ୧୫ ନିୟୁତ ବ୍ୟାରେଲ ରିଜର୍ଭ ତୈଳ

ଓ୍ବାଶିଂଟନ୍‌, ୨୦ା୧୦: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ଗଚ୍ଛିତ ରଖିଥିବା ଅଏଲ ରିଜର୍ଭରୁ ୧୫ ନିୟୁତ ବ୍ୟାରେଲ ମାର୍କେଟକୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛି। ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ରିଜର୍ଭ ତୈଳ ରିଲିଜ କରାଯିବ ବୋଲି ଜୋ ବାଇଡେନ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି।

ରୁଷିଆର ୟୁକ୍ରେନ୍‌ ଆକ୍ରମଣଜନିତ ତୈଳଦର ବୃଦ୍ଧି ଜବାବରେ ଆମେରିକା ପକ୍ଷରୁ ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ରିଜର୍ଭରୁ ୧୮୦ ନିୟୁତ ବ୍ୟାରେଲ କ୍ରୁଡ୍‌ ଅଏଲ୍‌ ଯୋଗାଣ ପାଇଁ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହେବାକୁ ଯାଉଛି। ୟୁକ୍ରେନ୍‌ ଯୁଦ୍ଧ ପାଇଁ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ରୁଷିଆ ଉପରେ କଟକଣା ଲଗାଇଥିବାରୁ ଜବାବରେ ମସ୍କୋ ମଧ୍ୟ ପାଶ୍ଚାତ୍ୟକୁ ତେଲ ଯୋଗାଣ ହ୍ରାସ କରିଛି। ବଜାରରେ ତେଲ ଦର ବଢ଼ିବାରେ ଲାଗିଥିବାବେଳେ ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଅନ୍ୟପକ୍ଷେ ତେଲ ଅଭାବରୁ ଆଗାମୀ ଶୀତଋତୁ ୟୁରୋପୀୟ ଦେଶଗୁଡ଼ିକ ପାଇଁ ଆହ୍ବାନପୂର୍ଣ୍ଣ ହେବ। ଏପରି ସ୍ଥିତିରେ ଆମେରିକା ଉକ୍ତ ନିଷ୍ପତ୍ତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ କିଛିମାତ୍ରାରେ ଆଶ୍ୱସ୍ତି ଆଣିଦେବ।

Share