ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଭାରତ ସମର୍ଥନରେ ଆମେରିକା ସିନେଟ୍‌ରେ ବିଲ୍‌ ଆଗତ

ଓ୍ବାଶିଂଟନ୍‌,୧୭।୨: ଆମେରିକାର ଦୁଇ ସାଂସଦ ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଭାରତକୁ ସମର୍ଥନ କରୁଥିବା ଦ୍ୱିପାକ୍ଷିକ ବିଲ ଆଗତ କରିଛନ୍ତି। ଏହି ବିଲରେ ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବର୍ଣ୍ଣନା କରାଯାଇଛି। ଓରେଗନ୍‌ର ସାଂସଦ ଜେଫ ମର୍କଲି ଏବଂ ବିଲ ହେଗର୍ଟି ଏହି ବିଲ ଆଗତ କରିଛନ୍ତି।
ଚାଇନା ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରୁଛି। ଏହି କାରଣରୁ ଚାଇନା ବର୍ତ୍ତମାନ ପୂର୍ବ ସେକ୍ଟରରେ ଏଲଏସି ଉପରେ ଆକ୍ରୋଶ ପ୍ରଦର୍ଶନ କରୁଛି। ଅତୀତରେ ଭାରତ ଏବଂ ଚାଇନା ସୈନ୍ୟବାହିନୀ ମଧ୍ୟରେ ମଧ୍ୟ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସବୁ ଘଟଣା ମଧ୍ୟରେ ଆମେରିକାର ସାଂସଦମାନେ ଏହି ବିଲ ଉପସ୍ଥାପନ କରିଛନ୍ତି।
ଜେଫ ମର୍କଲେ କହିଛନ୍ତି, ଆମେରିକା ସାରା ବିଶ୍ୱରେ ସ୍ବାଧୀନତା ଏବଂ ଆଇନ ଶୃଙ୍ଖଳାକୁ ସମର୍ଥନ କରେ। ଏହି ବିଲ୍‌ ସ୍ପଷ୍ଟ କରୁଛି ଯେ, ଆମେରିକା ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରେ ଏବଂ ପିପୁଲ୍ସ ରିପବ୍ଲିକ ଅଫ ଚାଇନାର ଏହା ନୁହେଁ। ଏହି ବିଲ ଆମେରିକା ସରକାରଙ୍କୁ ସହଯୋଗୀ ଦେଶ ସହ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ କହିଛି ଏବଂ ଚାଇନାର ଆକ୍ରୋଶକୁ ସମାଲୋଚନା କରିଛି।

Share