‘ଭାରତ ଆମ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ’

ଓ୍ବାଶିଂଟନ,୧୯ା୧୧: ଆମେରିକା ପୁଣିଥରେ ବିଶ୍ୱସ୍ତରରେ ଭାରତ ସହ ସମ୍ପର୍କକୁ ଗୁରୁତ୍ୱ ଦେଇଛି। ଆମେରିକା କହିଛି, ଭାରତ ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଆମେରିକାର ବୈଦେଶିକ ବିଭାଗର ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ  ଖବରଦାତା ସମ୍ମିଳନୀରେ କହିଛନ୍ତି, ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କର ଅତ୍ୟନ୍ତ ନିବିଡ଼ ସମ୍ପର୍କ ରହିଛି। ପରସ୍ପର ଅତି ଘନିଷ୍ଠ। ଭାରତ ଏବଂ ଆମେରିକାର ସମ୍ପର୍କକୁ ଅନ୍ୟ ଦେଶ ସହ ତୁଳନା କରାଯାଉଥିବା ପ୍ରଶ୍ନ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ବିବୃତ୍ତି ଦିଆଯାଇଛି। ପ୍ରଶ୍ନର ଉତ୍ତରରେ ପଟେଲ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଭାରତ ଏବଂ ଆମେରିକା ମଧ୍ୟରେ ମଧ୍ୟ ସମ୍ପର୍କ ଅତ୍ୟନ୍ତ ମଜବୁତ।

ମୁଖପାତ୍ର କହିଛନ୍ତି, ଭାରତ କେବଳ ଆମେରିକା ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟେ। ଏସିଆନ୍‌ ସମ୍ମିଳନୀ ହେଉ କିମ୍ବା ଅନ୍ୟ କୌଣସି ଫୋରମ, ଉଭୟ ଦେଶ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ସର୍ବଦା ଗୁରୁତ୍ୱାରୋପ କରିଛନ୍ତି। ନିକଟରେ ଆମେରିକାର ବୈଦେଶିକ ସଚିବ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କୁ ଭେଟିଥିଲେ। ଯେଉଁଥିରେ ଅନେକ ପ୍ରସଙ୍ଗ ଉପରେ ଗଭୀର ଭାବରେ ଆଲୋଚନା କରାଯାଇଥିଲା। ଆମେରିକା ପାଇଁ ଭାରତ ମଧ୍ୟ ଏକ ପ୍ରାଥମିକତା ଅଟେ ବୋଲି ଏହି ଆଲୋଚନାରୁ ଜଣାପଡ଼ିଛି।

Share