ମେଲାନିଆଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ସ୍ଲୋଭେନିଆ,୯।୭: ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କ ଏକ କାଠ ପ୍ରତିମୂର୍ତ୍ତି ତାଙ୍କ ସହର ସ୍ଲୋଭେନିଆର ସେଭେନିକାଠାରେ ସ୍ଥାପିତ ହୋଇଥିଲା। ଏହି ପ୍ରତିମୂର୍ତ୍ତିକୁ ଜୁଲାଇ ୪ ତାରିଖ ରାତିରେ କିଏ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଏହି ଦିନ ଆମେରିକାରେ ସ୍ବାଧୀନତା ଦିବସ ପାଳନ କରାଯାଉଥିଲା। ଏହି ପ୍ରତିମୂର୍ତ୍ତି ତିଆରି କରିଥିବା କଳାକାର ଏନେଇ ସୂଚନା ଦେଇଇଛନ୍ତି। ବର୍ଲିନରେ ରହୁଥିବା ଆମେରିକୀୟ କଳାକାର ବ୍ରାଡ ଡାଉନି କହିଛନ୍ତି ଯେ, ପୋଲିସ ତାଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲା ଏବଂ ପ୍ରତିମୂର୍ତ୍ତିକୁ ସେଠାରୁ ହଟାଇ ଦିଆଯାଇଥିଲା। କାହିଁକି ଲୋକେ ପ୍ରତିମୂର୍ତ୍ତିକୁ ଜାଳିଦେଲେ ତାହା ଜାଣିବାକୁ ଚାହୁଁଛି ବୋଲି ଡାଉନି କହିଛନ୍ତି। ୱାଶିଂଟନରେ ମେଲାନିଆ ଟ୍ରମ୍ପଙ୍କ କାର୍ଯ୍ୟାଳୟ ଏହି ବିଷୟରେ ପଚରାଯିବାରୁ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଐତିହାସିକ ସ୍ମାରକୀଗୁଡ଼ିକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ। ସୂଚନାଯୋଗ୍ୟ, ଏହି ଘଟଣାରେ ଡାଉନି ପୋଲିସ ଷ୍ଟେଶନରେ ରିପୋର୍ଟ ଦାଖଲ କରିଛନ୍ତି ଏବଂ ଧରାପଡିଲେ ଅଭିଯୁକ୍ତଙ୍କୁ ଭେଟିବାକୁ ଚାହାଁନ୍ତି ବୋଲି ସେ କହିଛନ୍ତି।

Share