ଆଲାସ୍କାରେ ଜୋରଦାର ଭୂକମ୍ପ ଝଟ୍‌କା

ଓ୍ବାଶିଂଟନ୍‌,୨୯।୭: ଆମେରିକା ଆଲାସ୍କାର ପେନିନସୁଲାରେ ଜୋରଦାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସ୍ଥାନୀୟ ସମୟାନୁସାରେ ବୁଧବାର ବିଳମ୍ବିତ ରାତ୍ରି ୧୧ଟା ୧୫ରେ ଏକ ଶକ୍ତିଶାଳୀ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୨ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ ପୂର୍ବ ପେରିଭିଲ ସହରରୁ ୯୧ କିଲୋମିଟରରେ ଦୂରରେ ରହିଛି। ଏହାପରେ ବି ସହରରେ ଆଉ ୨ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଯାହାର ତୀବ୍ରତା ୬.୨ ଓ ୫.୬ ରହିଥିଲା। ଏନେଇ ଆମେରିକା ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥିରେ କୌଣସି ବଡ଼ କ୍ଷୟକ୍ଷତି ହୋଇଥିବା ନେଇ ଏଯାଏ ସୂଚନା ମିଳିନାହିଁ। ଅନ୍ୟପଟେ ଏହି ଭୂକମ୍ପ ପରେ ଦକ୍ଷିଣ ଆଲାସ୍କା, ଆଲସ୍କାର ପେନିନସୁଲା ଓ ଏଲେୟୁଟିଅନ୍‌ ଦ୍ୱୀପରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଏତଦ୍‌ ବ୍ୟତୀତ ଗୁଆମ ଓ ହଓ୍ବାଇରେ ମଧ୍ୟ ସତର୍କତା ଜାରି କରାଯାଇଛି। ଏଥିସହ ଉପକୂଳବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ କୁହାଯାଇଛି।

Share