ଚାଇନା ସହ କୌଣସି ବିବାଦ ଚାହୁଁନାହିଁ ଆମେରିକା: ବାଇଡେନ୍‌

ଓ୍ବାଶିଂଟନ୍‌,୯।୨: ଗୁପ୍ତଚର ବେଲୁନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ବିବାଦ ବଢିବା ନେଇ କଳ୍ପନାଜଳ୍ପନା ଚାଲିଛି। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଯଦିଓ ଚାଇନାର ଗୁପ୍ତଚର ବେଲୁନ୍‌କୁ ନେଇ ଉଭୟ ଦେଶ ମଧ୍ୟରେ ମତଭେଦ ରହିଛି, କିନ୍ତୁ ଆମେରିକା ଏହି ପ୍ରସଙ୍ଗରେ ଚାଇନା ସହ ମୁହାଁମୁହିଁ ହେବାକୁ ଚାହୁଁନାହିଁ।
ଚାଇନା ସହିତ ବେଲୁନ ବିବାଦ ଉପରେ ବାଇଡେନ କହିଛନ୍ତି, ଆମେରିକା ଚାଇନା ସହିତ କୌଣସି ପ୍ରକାର ବିବାଦ ଚାହୁଁନାହିଁ। ଆମେ ଚାଇନା ସହିତ ସମ୍ପୂର୍ଣ୍ଣ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛୁ, କିନ୍ତୁ ଆମେ ମୁହାଁମୁହିଁ ହେବାକୁ ଚାହୁଁନାହୁଁ ଏବଂ ଏପର୍ଯ୍ୟନ୍ତ ତାହା ହୋଇଆସୁଛି। ମୁଁ ଆମେରିକା ଏବଂ ବିଶ୍ୱର ସ୍ବାର୍ଥ ପାଇଁ ଚାଇନା ସହିତ କାମ କରିବାକୁ ପ୍ରସ୍ତୁତ, କିନ୍ତୁ ଯଦି ସେମାନେ ଆମକୁ କ୍ଷତି କରନ୍ତି, ତେବେ ଆମେ ନିଶ୍ଚିତ ଭାବରେ ନିଜକୁ ରକ୍ଷା କରିବୁ।
ସୂଚନାଯୋଗ୍ୟ, ଆମେରିକା ଆକାଶରେ ଉଡ଼ୁଥିବା ଚାଇନାର ଏକ ସନ୍ଦିଗ୍ଧ ବେଲୁନ୍‌କୁ ଓ୍ବାଶିଂଟନ ଖସାଇଦେଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ସାଉଥ୍‌ କାରୋଲିନା ଉପକୂଳ ଆକାଶରୁ ତଳକୁ ଖସାଯାଇଥିଲା। ବେଲୁନ୍‌ଟି ମିର୍ଟଲ ବିଚ୍‌ ଉପରେ ଉଡ଼ୁଥିବାବେଳେ ଏକ ଏଫ୍‌-୨୨ ଫାଇଟରରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଅନ୍ୟପକ୍ଷେ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଚାଇନା ଅସନ୍ତୋଷ ବ୍ୟକ୍ତ କରିଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ମାନବରହିତ ସିଭିଲିଆନ୍‌ ଏୟାରଶିପ୍‌କୁ ଆମେରିକା କ୍ଷେପଣାସ୍ତ୍ର ମାଡ଼ କରି ଖସାଇବା ଦୁର୍ଭାଗ୍ୟଜନକ। ଏହାର ଉଚିତ ଜବାବ ଦିଆଯିବ।

Share