ଅଧରାତିରେ ଅଟକୁଛି ଆମ୍ବୁଲାନ୍ସ

ଅନୁଗୋଳ ଅଫିସ, ୨୩ା୧୨: କେତେବେଳେ ଢେଙ୍କାନାଳରୁ ତ ପୁଣି କେବେ ଦେବଗଡ଼ ଜିଲାରୁ ଗୁରୁତର ରୋଗୀ ଆସୁଛନ୍ତି ଅନୁଗୋଳକୁ। ହେଲେ ଆମ୍ବୁଲାନ୍ସରେ ରାତି ଅଧରେ ଆସୁଥିବା ଏହି ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ୱ ଫାଟକ ଠାରେ ପହଞ୍ଚିଲେ ସେମାନଙ୍କୁ ମିଳୁନି ବାଟ। କାରଣ ରାତି ୧୧ଟା ପରେ ଉକ୍ତ ଫାଟକରେ ତାଲା ପକାଇ ପଳାଇ ଯାଉଛନ୍ତି ସୁରକ୍ଷା କର୍ମୀ। ଫଳରେ ଦୂରରୁ ଆସିଥିବା ନୂଆ ଆମ୍ବୁଲାନ୍ସ ଚାଳକମାନେ ମୁଖ୍ୟ ଫାଟକ କେଉଁଠି ଜାଣି ନ ପାରି ବାଟବଣା ହେଉଥିବା ବେଳେ ଗାଡ଼ି ଭିତରେ ଯନ୍ତ୍ରଣା ଭୋଗୁଛନ୍ତି ରୋଗୀ। କିଛଦିନ ହେଲା ଏପରି ଅଭିଯୋଗ ବଢ଼ୁଥିବାରୁ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଦଖାଦେଇଛି ତୀବ୍ର ଅସନ୍ତୋଷ।
ରୋଗୀଙ୍କୁ ଉତ୍ତମମାନର ସେବା ଯୋଗାଯିବା ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିରେ ଉନ୍ନତି କରାଯାଉଛି। ହେଲେ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଅନେକ ସମୟରେ ଏହି ମେଡିକାଲକୁ ବଦନାମର ଶିକାର ହେବାକୁ ପଡ଼ୁଛି। ସୁରକ୍ଷା ଦାୟିତ୍ୱ ନେଇଥିବା ଠିକାସଂସ୍ଥାର କେତେଜଣ କର୍ମଚାରୀ କର୍ତ୍ତୃପକ୍ଷଙ୍କୁ ଖାତିର କରୁ ନ ଥିବାରୁ କେତେବେଳେ ଏଠାରେ ରୋଗୀଙ୍କୁ ମାଡ଼ ଖାଇବାକୁ ପଡ଼ୁଛି ତ ଆଉ କେବେ ବେଡ୍‌ରୁ ଉଠି ରୋଗୀ ଗାଏବ ହୋଇଯାଉଥିବା ଭଳି ଘଟଣା ଘଟୁଛି। ତେବେ କିଛିଦିନ ହେଲା ମେଡିକାଲର ପଛ ଗେଟ୍‌ରେ ରାତିରେ ତାଲା ପକାଇ ସୁରକ୍ଷା କର୍ମୀ ପଳାଇଯାଉଥିବାରୁ ଆମ୍ବୁଲାନ୍ସ ଚାଳକ ଓ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ବିଶେଷକରି ଗୁରୁତର ପ୍ରସୂତି ଓ ନବଜାତକଙ୍କୁ ଧରି ଆସୁଥିବା ଆମ୍ବୁଲାନ୍ସ ଏମ୍‌ସିଏଚ୍‌ ବିଲ୍ଡିଂ ପାର୍ଶ୍ୱରେ ଥିବା ଏହି ଫାଟକ ଦେଇ ଭିତରକୁ ପଶିଥାନ୍ତି। କିନ୍ତୁ ରାତି ୧୧ଟା ପରେ ଗେଟ୍‌ରେ ତାଲା ପକାଇ ଦିଆଯାଉଥିବା ବେଳେ କୌଣସି ସୁରକ୍ଷା କର୍ମୀ ସେଠାରେ ଉପସ୍ଥିତ ରହୁନାହାନ୍ତି। ଫଳରେ ଆମ୍ବୁଲାନ୍ସ ଆସିବା ମାତ୍ରେ ଗେଟ୍‌ ଖୋଲାଯାଇପାରୁ ନାହିଁ କି ସେମାନଙ୍କୁ ବାଟ ବତାଇ ଦିଆଯାଉ ନାହିଁ। ଏଥିଯୋଗୁ ଅନେକ ଆମ୍ବୁଲାନ୍ସ ଚାଳକ ବାଟବଣା ହୋଇଯାଉଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ କୁକୁଡ଼ାଙ୍ଗରୁ ଗର୍ଭବତୀଙ୍କୁ ଧରି ଆସିଥିବା ୧୦୮ ଆମ୍ବୁଲାନ୍ସ ଫାଟକ ନିକଟରେ ଅଟକି ରହିବା ସହ ପରେ ମାଛ ମାର୍କେଟ ପାଖରେ ଗାଡ଼ି ବୁଲାଇ ଏମ୍‌ସିଏଚ୍‌ ବିଲ୍ଡିଂକୁ ରୋଗୀଙ୍କୁ ଆଣିଥିଲେ। ସେହିପରି ତାଳଚେର ମଣ୍ଡାପାଳ ଅଞ୍ଚଳରେ ଜଣେ ଗୁରୁତର ଶିଶୁଙ୍କୁ ନେଇ ଆସିଥିବା ଆମ୍ବୁଲାନ୍ସକୁ ଏପରି ହଇରାଣ ହେବାକୁ ପଡ଼ିଥିଲା। ଜରପଡ଼ା ଥାନା ତୁକୁଡ଼ାର ଜଣେ ପ୍ରସୂତିଙ୍କୁ ନେଇ ଆସିଥିବା ଆମ୍ବୁଲାନ୍ସ ମଧ୍ୟ ବାଟ ନ ପାଇ ବୁଲିକରି ମେଡିକାଲ ଭିତରକୁ ଯାଇଥିଲା। ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଦେବା ପରିବର୍ତ୍ତେ ରାତି ଅଧରେ ମେଡିକାଲ ପଛ ଗେଟ୍‌ରେ ଅଟକାଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।

ଅମିତ କୁମାର ସାମଲ