ବାହୁଡା ଯାତ୍ରା ଭିଡ଼ରେ ଫସିଗଲା ଆମ୍ବୁଲାନ୍ସ

ନିରାକାରପୁର,୨୮।୬(ଡି.ଏନ୍‌.ଏ.): ବାହୁଡା ଯାତ୍ରା ଅବସରରେ ବୁଧବାର ଖୋର୍ଦ୍ଧା ଜିଲା ନିରାକାରପୁର ରେଳ ଫାଟକରେ ପ୍ରବଳ ଭିଡ଼ ଯୋଗୁ ରୋଗୀଙ୍କୁ ନେଇଯାଉଥିବା ଏକ ଆମ୍ବୁଲାନ୍ସ ପ୍ରାୟ ୧ ଘଣ୍ଟା ଗହଳି ଭିତରେ ଫସି ରହିଥିବା ଦେଖିବାକୁ ମିଳିଥିଲା।

ସୂଚନା ଯୋଗ୍ୟ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ନୂଆ ଜଗନ୍ନାଥ ସଡ଼କରେ ପୁରୀ ଗଲେ କମ୍‌ ଦୂରତା ପଡିଥାଏ। ଏନେଇ ନିରକାରପୁର ରେଳଫାଟକ ଅତିକ୍ରମ କରି ପୁରୀ ଯିବାକୁ ପଡିଥାଏ। ବର୍ଷର ପ୍ରାୟ ସମୟରେ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ତୀର୍ଥଯାତ୍ରୀଙ୍କ ଗାଟିଗୁଡିକ ଉକ୍ତ ରାସ୍ତାଦେଇ ଯାତୟାତ କରିଥାଏ। କେବଳ ରଥ ଯାତ୍ରା ନୁହେଁ ପ୍ରାୟ ସମୟରେ ଏହି ପାଟକରେ ଗାଡିଗୁଡିକ ଭିଡରେ ଅତିକ୍ରମ କରିଥାଏ। ଫଳରେ ବିଭିନ୍ନ ସମୟରେ ଜରୁରୀକାଳିନ ସେବା ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଗାଡି, ସ୍କୁଲ ବସ୍‌ ସହ ପ୍ରମୁଖ ଅଧିକାରୀଙ୍କ ଗାଡିଗୁଡିକ ଭିଡରେ ଫସି ରହୁଥିବା ନଜିର ରହଛି।

ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏକ ଓଭର ବ୍ରିଜ୍‌ର ପରିଯୋଜନା ଦୀର୍ଘ ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ଦାୟୀତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ଏହାର ନିର୍ମାଣ କାମ ଆରମ୍ଭହୋଇ ବର୍ତ୍ତମାନ ଅଟକି ରହିଛି। ଫଳରେ ଉକ୍ତ ଫାଟକ ଦେଇ ଯାଉଥିବା ଗାଡିଗୁଡିକ ଭିଡ଼ରେ ଫସି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

ବୁଧବାର ପୁରୀ ବାହୁଡ଼ା ଯାତ୍ରା ପାଇଁ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ହୋଇଥିଲା। ଏହା ଯୋଗୁ ଫାଟକକୁ ପ୍ରାୟ ୫ରୁ ୧୦ ମିନିଟରେ ବନ୍ଦ କରିବାକୁ ପଡୁଥିଲା। ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ଗାଡ଼ିଗୁଡିକର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ଟ୍ରାଫିକ ବ୍ୟବସ୍ଥା କଡାକଡି ହୋଇ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରି କି ଭିଡ଼ରେ ଏକ ଆମ୍ବୁଲାନ୍ସ ପଶି ଯାଇଥିଲା। ହେଲେ ସ୍ଥାନୀୟ ଯୁବକଙ୍କ ସହଯୋଗରେ ଗାଡ଼ିକୁଡିକୁ ହଟାଇବା ପରେ ଫସିରହିଥିବା ଆମ୍ବୁଲାନ୍ସ ଆଗକୁ ଯିବାକୁ ରାସ୍ତା ପାଇଥିଲା।