ଭବାନୀପାଟଣା,୧୩ା୭(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅଁଳାଭଟା ପଞ୍ଚାୟତର ଦାବିରୀଘାଟି ଗାଁରୁ। ଏହି ଗାଁର ଗର୍ଭବତୀ ଉର୍ମିଳା ମାଝୀଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ପରିବାର ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ହେଲେ ଗାଁକୁ ପକ୍କା ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଦାବିରୀଘାଟି ପହଞ୍ଚିପାରି ନ ଥିଲା ଏବଂ ଚଚରାଗୁଡ଼ା ଗାଁରେ ଅପେକ୍ଷା କରିଥିଲା। ଏହାପରେ ପରିବାର ଓ ଗ୍ରାମବାସୀ ପ୍ରାୟ ୧୦ କିଲୋମିଟର ଦୂର ଟ୍ରାକ୍ଟରରେ ଗର୍ଭବତୀଙ୍କୁ ନେଉଥିବା ବେଳେ ରାସ୍ତା ମଝିରେ ହିଁ ଊର୍ମିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ଚଚରାଗୁଡ଼ାରୁ ଆମ୍ବୁଲାନ୍ସ ସହାୟତାରେ ମା’ ଓ ନବଜାତ ଶିଶୁକନ୍ୟାକୁ ମୈଦଲପୁର ମେଡିକାଲକୁ ନିଆଯାଇଥିଲା। ତେବେ ପ୍ରସୂତିଙ୍କ ରକ୍ତ ଅଭାବ ଏବଂ ମ୍ୟାଲେରିଆରେ ଆକ୍ରାନ୍ତ ଥିବାରୁ ଉଭୟଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
କଳାହାଣ୍ଡି ଜିଲାରେ ରହିଥିଲେ ମଧ୍ୟ ଏହି ସୀମାନ୍ତ ଅଞ୍ଚଳର ଲୋକମାନେ ସ୍ବାସ୍ଥ୍ୟସେବା ପାଇଁ ନବରଙ୍ଗପୁର ଜିଲା ଉପରେ ନିର୍ଭର କରୁଛନ୍ତି। ଏହି ଘଟଣା ପୁଣିଥରେ ଦୁର୍ଗମ ଅଞ୍ଚଳରେ ରାସ୍ତା ଓ ସ୍ବାସ୍ଥ୍ୟସେବାର ଦୟନୀୟ ସ୍ଥିତିକୁ ସାମ୍ନାକୁ ଆଣିଛି। ତୁରନ୍ତ ପକ୍କା ରାସ୍ତା ନିର୍ମାଣ ଓ ଉନ୍ନତ ସ୍ବାସ୍ଥ୍ୟ ସୁବିଧା ଯୋଗାଇବାକୁ ଗ୍ରାମବାସୀ ସରକାର ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି।