ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଆମ୍ବୁଲାନ୍ସ ଏବଂ ୨୦୦ କେଜି ଗଞ୍ଜେଇ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ମହାରାଷ୍ଟ୍ରର ପୁଣେ ଅଞ୍ଚଳର ସୋମନାଥ ସାହେବ୍ରା(ଘାୟାଲ) (୩୧), ସୌରଭ ନିର୍ମଲ(୨୯)। ଏନେଇ କାଲିମେଳା ଥାନାରେ ଏକ ମାମଲା (ନଂ.୧୮୦/୨୦୨୬) ରୁଜୁ ହୋଇଛି।

ମାଲକାନଗିରି ଜିଲା କାଲିମେଳା ଘାଟିରୁ ମହାରାଷ୍ଟ୍ର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ମାଲକାନଗିରି ଏସ୍‌ଡିପିଓ ଦିବ୍ୟ ରଞ୍ଜନ ଦଳେଇ ଏବଂ କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶାଳ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୧୩ ତାରିଖ ରାତିରେ କାଲିମେଳା ଥାନା ପୋଲିସ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଥାନା ଅନ୍ତର୍ଗତ ସୁଧାକୋଣ୍ଡା ଗ୍ରାମ ନିକଟରେ ଏକ ଆମ୍ବୁଲାନ୍ସ ଉପରେ ସନ୍ଦେହ ହୋଇଥିଲା। ଯାଞ୍ଚ ସମୟରେ ଆମ୍ବୁଲାନ୍ସ ଭିତରୁ ପ୍ରାୟ ୨୦୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଆମ୍ବୁଲାନ୍ସ ଭଳି ଜରୁରୀ ସେବା ଯାନକୁ ବ୍ୟବହାର କରି ଗଞ୍ଜେଇ ଚାଲାଣ ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି। କାଲିମେଳା ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଗଞ୍ଜେଇ ଚାଲାଣକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ଏଭଳି ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share