କ୍ରିକେଟ ମଇଦାନକୁ ଛାଡି ରାଜନୀତି ମଇଦାନକୁ ଓହ୍ଲାଇଲେ ଅମ୍ବାତି ରାୟଡୁ

ବିଜୟଓ୍ବାଡା,୨୮।୧୨: ପୂର୍ବତନ କ୍ରିକେଟର ଅମ୍ବାତି ରାୟଡୁ ଏବେ ରାଜନୀତିରେ ଯୋଗ ଦେଇଛନ୍ତି। ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଓ୍ବାଇଏସଆର କଂଗ୍ରେସରେ ଯୋଗ ଦେଇଛନ୍ତି। ବିଜୟଓ୍ବାଡାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ଏହି କ୍ରିକେଟର ରାଜନୀତିରେ ସାମିଲ ହୋଇଛନ୍ତି।

ସେ ଓ୍ବାଇଏସଆରସିପି ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଦଳରେ ଯୋଗ ଦେଇଥିଲେ। ରାଇଡୁ ଏମିତି ସମୟରେ ଦଳରେ ଯୋଗ ଦେଇଥିଲେ ଯେତେବେଳେ ସମସ୍ତ ଦଳ ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ଲୋକ ସଭା ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।
ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ସେ ବୁଧବାର ଗଣମାଧ୍ୟମକୁ କହିଛନ୍ତି, ମୁଁ ଶୀଘ୍ର ଲୋକଙ୍କ ସେବା କରିବା ପାଇଁ ଆନ୍ଧ୍ରପ୍ରଦେଶର ରାଜନୀତିରେ ପ୍ରବେଶ କରିବି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମୁଁ ଲୋକଙ୍କୁ ଜାଣିବାକୁ ଚେଷ୍ଟା କରିଥିଲି ଏବଂ ସେମାନଙ୍କ ସମସ୍ୟା ବୁଝିଥିଲି। ସୂଚନାଯୋଗ୍ୟ,୨୯ ମେ’ରେ ଇଣ୍ଡିଆନ ପ୍ରିମିୟର ଲିଗ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ରାଇଡୁ ତାଙ୍କର ଶେଷ କ୍ରିକେଟ ମ୍ୟାଚ ଖେଳିଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ନିଜ ଜନ୍ମସ୍ଥାନ ଗୁଣ୍ଟୁର ଜିଲାର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ ଲୋକମାନଙ୍କୁ ଭେଟିଥିଲେ।

Share