Categories: ବାଣିଜ୍ୟ

ଫ୍ୟୁଚର ଗ୍ରୁପ୍‌ ବିରୋଧରେ ସେବି ଦ୍ୱାରସ୍ଥ ହେଲା ଆମାଜନ

ମୁମ୍ବାଇ : ଫ୍ୟୁଚର ଗ୍ରୁପ୍‌ ଏବଂ ରିଲାଏନ୍ସ ଡିଲ୍‌କୁ ନେଇ ଆମାଜନ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ଦ୍ୱାରସ୍ଥ ହୋଇଛି। ଫ୍ୟୁଚର ଗ୍ରୁପ୍‌ ମିଛ କହି ଶେୟାରଧାରକଙ୍କୁ ବୋକା ବନାଇଥିବା ଆମାଜନ ଅଭିଯୋଗରେ କହିଛି। ଗତ କିଛି ମାସ ହେବ ଏହି ବିବାଦ ଲାଗି ରହିଥିବା ଜଣାପଡ଼ିଛି। ଫ୍ୟୁଚର ଗ୍ରୁପ୍‌ ଏହାର ରିଟେଲ କାରବାରକୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌କୁ ବିକ୍ରି କରିବା ପରେ ଏଭଳି ବିବାଦ ମୁଣ୍ଡ ଟେକିଛି। ଏହି ଡିଲ୍‌ ଫ୍ୟୁଚର ଗ୍ରୁପ୍‌ ଏବଂ ଆମାଜନ ଡିଲ୍‌କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ କୁହାଯାଇଛି। ଏଭଳି ବିବାଦ ଫ୍ୟୁଚର ଗ୍ରୁପ୍‌ ଏବଂ ଆମାଜନର ସମ୍ପର୍କରେ ଭଟ୍ଟା ସୃଷ୍ଟି କରିଛି। ଆମାଜନ ପକ୍ଷରୁ ସେବି ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି। ଫ୍ୟୁଚର ଗ୍ରୁପ୍‌ ଜାରି କରିଥିବା ନ୍ୟୁଜ ରିଲିଜ ଏବଂ ଶେୟାର ବଜାରକୁ ପ୍ରଦାନ କରାଯାଇଥିବା ତଥ୍ୟ ଭାରତୀୟ ଆଇନର ଉଲ୍ଲଂଘନ ବୋଲି ଆମାଜନ କହିଛି। ଏହି ଡିଲ୍‌କୁ ଯାଞ୍ଚ କରିବା ପରେ ମଞ୍ଜୁରୀ ପ୍ରଦାନ କରିବାକୁ ଏହି ଇ-କମର୍ସ କମ୍ପାନୀ ଅଭିଯୋଗରେ କହିଛି। ଏ ପ୍ରସଙ୍ଗ ଉପରେ ଫ୍ୟୁଚର ଗ୍ରୁପ୍‌ର ମତାମତ ଲୋଡ଼ାଯାଇଥିଲେ ମଧ୍ୟ ମୁଖପାତ୍ର କିଛି କହିବାକୁ ମନା କରିଦେଇଛନ୍ତି।

Share