Categories: ଜାତୀୟ

ମହାକାଶ ମୁହାଁ ଆମାଜୋନିଆ-୧

ଶ୍ରୀହରିକୋଟା,୨୮।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ରବିବାର ପୂର୍ବାହ୍ନ ୧୦ଟା ୨୪ରେ ଉପଗ୍ରହ ଆମାଜୋନିଆ-୧ର ଉତ୍‌କ୍ଷେପଣ କରାଯାଇଛି। ୨୦୨୧ର ପ୍ରଥମ ମିଶନରେ ଇସ୍ରୋକୁ ସଫଳତା ମିଳିଛି। ପିଏସ୍‌ଏଲଭି-ସି-୫୧ ରକେଟ ସହାୟତାରେ ବ୍ରାଜିଲର ଏହି ଅପ୍ଟିକାଲ ଅବଜରଭେଶନ ସାଟେଲାଇଟ୍‌କୁ ମହାକାଶକୁ ପଠାଯାଇଛି। ଏହା ପିଏସ୍‌ଏଲଭିର ୫୩ ତମ ମିଶନ। ଏହା ସହିତ ଅନ୍ୟ ୧୮ଟି ଉପଗ୍ରହକୁ ମଧ୍ୟ ପ୍ରଥମ ଲଞ୍ଚପ୍ୟାଡ୍‌ରୁ ଊତ୍‌କ୍ଷେପଣ କରାଯାଇଛି। ସେସବୁ ମଧ୍ୟରେ ସ୍ପେସ୍‌ କିଡଜ୍‌ ଇଣ୍ଡିଆର ଏସ୍‌ଡି ସାଟ୍‌( ସତୀଶ ଧାଓ୍ବନ ସାଟ୍‌) ରହିଛି। ଏସ୍‌ଡି ସାଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହିତ ଶ୍ରୀମଦ୍‌ ଭଗବଦ୍‌ ଗୀତାର ଇ-ଭର୍ସନକୁ ଏସ୍‌ଡି କାର୍ଡରେ ମହାକାଶକୁ ପଠାଯାଇଛି। ସେହିପରି କୋଇମ୍ବାଟୁରର ଶ୍ରୀ ଶକ୍ତି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି, ଶ୍ରୀପେରୁମ୍ବୁଦୁରର ଜେପିଆର୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଏବଂ ନାଗପୁରର ଜିଏଚ୍‌ ରାଇସୋନି କଲେଜ ଅଫ୍‌ ଇଞ୍ଜିନିୟରିଂ ଆଦି ୩ ଟି କଲେଜ ପକ୍ଷରୁ ମିଳିତ ଭାବେ ନିର୍ମିତ ହୋଇଥିବା ୟୁନିଟସାଟ୍‌ର ମଧ୍ୟ ଉତ୍‌କ୍ଷେପଣ କରାଯାଇଛି। ଊତ୍‌କ୍ଷେପଣ ହୋଇଥିବା ଅନ୍ୟ ଉପଗ୍ରହ ମଧ୍ୟରେ ଭାରତର ସିନ୍ଧୁନେତ୍ର, ଆମେରିକାର ସାଇ-୧ ନାନୋକନେକ୍ଟ-୨, ୧୨ଟି ସ୍ପେସ୍‌ ବିଇଇ ଉପଗ୍ରହ ରହିଛି।

Share