Categories: ଜାତୀୟ

‘ଚାଷୀ ଆନ୍ଦୋଳନ ଶେଷ ହେଲେ ଭାଜପା ସହ ମେଣ୍ଟ’

ନୂଆଦିଲ୍ଲୀ,୨୦।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ନୂଆ ରାଜନୈତିକ ଦଳ ଗଠନ କରିବେ। ଯଦି ଚାଷୀ ଆନ୍ଦୋଳନର ସମାଧାନ ହୋଇଯାଏ, ତେବେ ସେ ଭାଜପା ଓ ଅକାଳି ଦଳ ସହ ମେଣ୍ଟ କରି ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଲେଢ଼ିବେ। ଏ ନେଇ ସୂଚନା ଦେଇଛନ୍ତି ଅମିରନ୍ଦରଙ୍କ ମିଡିଆ ପରାମର୍ଶଦାତା।

ମଙ୍ଗଳବାର ସନ୍ଧ୍ୟାରେ କିଛି ଟୁଇଟ୍‌ ଜରିଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରବୀନ ଠୁକରାଲ ଲେଖିଛନ୍ତି, ”ଖୁବ୍‌ ଶୀଘ୍ର ମୁଁ ନିଜର ରାଜନୈତିକ ଦଳ ଘୋଷଣା କରିବି। ଏହା ପଞ୍ଜାବ ଓ ଏହାର ଲୋକଙ୍କ ହିତରେ କାର୍ଯ୍ୟ କରିବ। ଏଥିସହ ଗତ ଏକ ବର୍ଷ ହେଲା ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଚାଷୀଙ୍କ କଥା ମଧ୍ୟ ବୁଝିବ“।

”ଯଦି ଚାଷୀଙ୍କ ହୀତରେ ଆନ୍ଦୋଳନର ସମାଧାନ ହୋଇଯାଏ, ତେବେ ୨୦୨୨ ନିର୍ବାଚନ ଲାଗି ଭାଜପା ସହ ଆସନ ବୁଝାମଣା ହେବ। ଅକାଳି ଦଳ ଭଳି ସମାନ ଚିନ୍ତାଧାରା ରଖୁଥିବା ଦଳ ସହ ମେଣ୍ଟ କରିବାକୁ ଇଚ୍ଛୁକ“ ବୋଲି ଦ୍ୱିତୀୟ ଟୁଇଟ୍‌ରେ ସେ ଉଲ୍ଲେଖ କରିଛନ୍ତି।

ତେବେ ଅମରିନ୍ଦର ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇ ନାହାନ୍ତି। ଏ ସଂକ୍ରାନ୍ତରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ପକ୍ଷରୁ କୌଣସି ବୟାନ ଆସି ନାହିଁ। ଉଲ୍ଲେଖଯୋଗ୍ୟ, ୭୯ ବର୍ଷୀୟ ଭେଟେରାନ ଦୀର୍ଘ ୪ ଦଶନ୍ଧି ଧରି କଂଗ୍ରେସରେ ଥିଲେ। ଗତ ସେପ୍ଟେମ୍ବରରେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେତେବେଳେ ସେ କହିଥିଲେ, ସମର୍ଥକଙ୍କ କଥା ହେଲା ପରେ ନିଷ୍ପତ୍ତି ନେବେ।

Share