Categories: ଜାତୀୟ

‘ପଞ୍ଜାବରେ ୧୦୧% ଜିତିବୁ’

ଚଣ୍ଡିଗଡ଼,୧୭।୧୨: ଆଗାମୀ ବର୍ଷ ହେବାକୁ ଥିବା ପଞ୍ଜାବର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ସହ ମେଣ୍ଟ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ଦିଲ୍ଲୀରେ ଭାଜପା ନେତାଙ୍କ ସହ ଶୁକ୍ରବାର ବୈଠକ ପରେ ଏକ ଫଟୋ ଟୁଇଟ୍‌ କରି ଅମରିନ୍ଦର ଏହି ସୂଚନା ଦେଇଛନ୍ତି। ଫଟୋରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ପଞ୍ଜାବ ଇନଚାର୍ଜ ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କୁ ଆଲିଙ୍ଗନ କରୁଛନ୍ତି କଂଗ୍ରେସର ଭେଟେରାନ ନେତା।

“ଭାଜପା ସହ ଆମ ମେଣ୍ଟ ସ୍ପଷ୍ଟ ହୋଇଛି। କେବଳ ଆସନ ଭାଗଭଣ୍ଟା ଉପରେ ଆଲେଚନା ଚାଲିଛି। କିଏ କେଉଁଠାରେ ଲଢ଼ିବ, ତାହା ଆମେ ଦେଖିବୁ। ପ୍ରାର୍ଥୀ ଚୟନ ଲାଗି ବିଜୟ ସମ୍ଭାବନା ଆମର ଏକମାତ୍ର ମାନଦଣ୍ଡ। ଆମ ମେଣ୍ଟ ୧୦୧% ନିର୍ବାଚନରେ ବିଜୟୀ ହେବ” ବୋଲି ଅମରିନ୍ଦର ସିଂ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ବିବାଦୀୟ କୃଷି ଆଇନ ଉଚ୍ଛେଦ କରିବା ସହ ପଞ୍ଜାବକୁ ହାତେଇବାକୁ ଯୋଜନା କରିଛି ଭାଜପା। ଏହି ଦଳ ଏପର୍ଯ୍ୟନ୍ତ ପଞ୍ଜାବରେ ଅକାଳି ଦଳର ଜୁନିୟର ସାଥି ଥିଲା। କିନ୍ତୁ ବିବାଦୀୟ ଆଇନ ପାଇଁ ଏନ୍‌ଡିଏଠାରୁ ଦୂରେଇ ଯାଇଥିଲା ଅକାଳି ଦଳ। ଉଲ୍ଲେଖଯୋଗ୍ୟ, ୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ୮୦ ବିଧାୟକଙ୍କ ସହ ଶାସନରେ ଅଛି କଂଗ୍ରେସ। ଏହାଛଡ଼ା ରାଜ୍ୟ ବିଧାନସଭାରେ ଆମ ଆଦମି ପାର୍ଟିର ୧୯, ସିରୋମଣୀ ଅକାଳି ଦଳର ୧୪, ଭାଜପା ଓ ଏଲଆଇପିର ୨ ଲେଖାଏ ବିଧାୟକ ଅଛନ୍ତି।

Share