ଟିକେଟ୍‌ ନ ମିଳିବାରୁ ରାଗରେ ନିଆଁବାଣ ହେଲେ ଅମରେନ୍ଦ୍ର

ଜଗତ୍‌ସିଂହପୁର, ୫ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଟିକେଟକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା କସରତର ଅନ୍ତ ଘଟିଛି। ପ୍ରଶାନ୍ତ ମୁଦୁଲି ଦଳୀୟ ଟିକେଟ ପାଇବା ଘୋଷଣା ପରେ ଅନ୍ୟତମ ପ୍ରମୁଖ ଆଶାୟୀ ଅମରେନ୍ଦ୍ର ଦାସ ବୁଧବାର ଦଳ ଛାଡିଥିଲେ। ଗୁରୁବାର ସେ ବିଜେଡି ନେତୃତ୍ୱଙ୍କ ବିରୋଧରେ ବିଷୋଦଗାର କରିବା ସହ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଭାଜପା କାର୍ଯ୍ୟାଳୟରେ ଦଳରେ ମିଶିବେ ବୋଲି ସ୍ପଷ୍ଟ କରିଛନ୍ତି। ଅମରେନ୍ଦ୍ର ସ୍ଥାନୀୟ ଗୋପାଳସାଗରସ୍ଥିତ ତାଙ୍କ ଶିବିରରେ ସମର୍ଥକମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ତାଙ୍କ ସମର୍ଥକମାନେ ବିଜେଡି ପୋଷ୍ଟର, ବ୍ୟାନର ଆଦି ପୋଡ଼ି ନିଆରା ପ୍ରତିବାଦ କରିଥିଲେ। ସେମାନେ ବିଜେଡି ନେତୃତ୍ୱଙ୍କ ବିରୋଧରେ ନାରାବାଜି କରିବା ସହ ଆତସବାଜୀ ଫୁଟାଇବା ଦୃଶ୍ୟ ନିଆରା ପରିବେଶ ସୃଷ୍ଟି କରିଥିଲା।
ଏ ସମ୍ପର୍କରେ ଅମରେନ୍ଦ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟାରେ କହିଥିଲେ, ସେ ବିଜେଡି ପ୍ରତିଷ୍ଠା ସମୟରୁ ବିନା ସ୍ବାର୍ଥରେ ସେବା ମନୋଭାବ ନେଇ କାମ କରିଆସିଛନ୍ତି। ସାଙ୍ଗଠନିକ କାର୍ଯ୍ୟକୁ କ୍ରିୟାଶୀଳ କରିବା ସହ ଦଳକୁ ମଜ୍‌ଭୁତ୍‌ କରିବାକୁ ସମସ୍ତ ଉଦ୍ୟମ କରିଛନ୍ତି। ଦଳ ଜିଲା ଛାତ୍ର ଓ ଯୁବ ସଙ୍ଗଠନର ନେତୃତ୍ୱ ନେଇ ଯୁବଶକ୍ତିଙ୍କୁ ବିଜେଡି ଆଡକୁ ଆକର୍ଷିତ କରିଥିଲେ। ୫ ବର୍ଷ ହେବ ଦଳର ପ୍ରଚାର, ପ୍ରସାର କ୍ଷେତ୍ରରେ ଗୁରୁ ଭୂମିକା ନିଭାଇଥିଲେ। କିନ୍ତୁ ଯିଏ ସ୍ବାର୍ଥ ରଖି ଅର୍ଥାତ୍‌ ପଞ୍ଚାୟତରେ ନିର୍ଦ୍ଦିଷ୍ଟ ଲୋକ ରଖି ଅର୍ଥ ରୋଜଗାର କରୁଛନ୍ତି ତାଙ୍କୁ ପୁରସ୍କୃତ କରାଯାଉଛି। ଅନ୍ୟାୟ, ଅନୀତି, ଦୁର୍ନୀତିରେ ଥିବା ଲୋକଙ୍କ ଉପରେ ଦଳ ମୋହର ମାରୁଛି। ତେଣୁ କର୍ମୀମାନଙ୍କ ସହ ଆଲୋଚନା ପରେ ବିଜେଡିରୁ ଇସ୍ତଫା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୁଖୀ ଚିନ୍ତାଧାରା କେବଳ ତାଙ୍କୁ ନୁହେଁ, ସାରା ବିଶ୍ୱ ଅନୁଭବ କରୁଛି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଯୋଗୁ ଓଡ଼ିଶା ବହୁ ଆଗକୁ ଗଲାଣି। ଦଳ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତୃବୃନ୍ଦଙ୍କ ଆନ୍ତରିକତା ଯୋଗୁ ଓଡ଼ିଶାରେ ବିକାଶଧାରା ଆଗେଇ ଚାଲିଛି। କିଛି ଦିନ ତଳେ ବିଜେଡି-ଭାଜପା ଗଠବନ୍ଧନ ହେବା ନେଇ ଆଲୋଚନା ଚାଲିଥିଲା। କିନ୍ତୁ ଭାଜପା ରାଜ୍ୟ ସଭାପତି ଏଭଳି ଅସାଧୁ ମେଣ୍ଟକୁ ବାରମ୍ବାର ପ୍ରତ୍ୟାଖାନ କରି ଚାଲିଥିଲେ। ଏହା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିଲା। ଏବେ ବିଜେଡି ତାଙ୍କୁ ଧୋକା ଦେଇଛି। ଏହାର କଡ଼ା ଜବାବ ଦିଆଯିବ। ଲୋକଙ୍କୁ ଅଧିକ ଦିନ ଭଣ୍ଡାଇ ହେବନାହିଁ। ଲୋକେ ସବୁ ବୁଝି ପାରୁଛନ୍ତି। ତେବେ ଶୁକ୍ରବାର ମିଶ୍ରଣ ପର୍ବରେ ଜଗତ୍‌ସିଂହପୁର ବିଧାନସଭା ଆସନରୁ ଅଧିକ ଲୋକଙ୍କୁ ନ ଯିବା ପାଇଁ କୁହାଯାଉଛି। ତଥାପି ବହୁ ସଂଖ୍ୟକ ଲୋକ ସାମିଲ ହେବାର ସମ୍ଭାବନା ରହିଥିବା ଅମରେନ୍ଦ୍ର କହିଛନ୍ତି। ଆଗକୁ ଦେଖିବାର ଅଛି ଅମରେନ୍ଦ୍ରଙ୍କ ନୂଆ ଇନିଂସ ଆରମ୍ଭ ପରେ ଜଗତ୍‌ସିଂହପୁର ରାଜନୀତି କେଉଁ ମୋଡ ନେଉଛି।