Categories: ଜାତୀୟ

ପ୍ରତିଶ୍ରୁତି ରଖିପାରିଲେନି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୩୦।୫: ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ୧୦ ଜଣ ପ୍ରାର୍ଥୀ ଘୋଷଣା କରିଛି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପି. ଚିଦାମ୍ବରମ, ଜୟରାମ ରମେଶ ଏବଂ ଅଜୟ ମାକେନ ତଥା ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଅଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ଘୋଷଣା ପରେ ଦଳରେ ଅସନ୍ତୋଷର ସ୍ବର ଦେଖିବାକୁ ମିଳିଛି।
କଂଗ୍ରେସ ମୁଖପାତ୍ର ପବନ ଖେଡା ଏବଂ ନଗମା ଟିକେଟ ନ ମିଳିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଂଗ୍ରେସ ମୁଖପାତ୍ର ପୱନ ଖେରା କହିଛନ୍ତି, ବୋଧହୁଏ ମୋ ତପସ୍ୟାରେ କିଛି ଅଭାବ ରହିଛି। ଏଥିସହିତ ନଗମା ତାଙ୍କ ଟୁଇଟ୍‌ ଯୋଗେ ଲେଖିଛନ୍ତି, ମୋର ମଧ୍ୟ ୧୮ ବର୍ଷର ତପସ୍ୟା ଇମ୍ରାନ୍‌ ପ୍ରତାପଗଢି ଭାଇଙ୍କ ଆଗରେ ଫିକା ପଡ଼ିଗଲା।

ଅନ୍ୟ ଏକ ଟୁଇଟ୍‌ରେ ନଗମା କହିଛନ୍ତି, ମୁଁ ୨୦୦୩-୦୪ରେ ଯେତେବେଳେ ଦଳରେ ଯୋଗ ଦେଇଥିଲି, ସେତେବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜ୍ୟ ସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେତେବେଳେ ଦଳ ଶାସନରେ ନ ଥିଲା। ଇତିମଧ୍ୟରେ ୧୮ ବର୍ଷ ବିତିଯାଇଛି। ଦଳ ଇମ୍ରାନ୍‌ଙ୍କ ପ୍ରତି ଧ୍ୟାନ ଦେଇଛି, କିନ୍ତୁ ମୋତେ ଯୋଗ୍ୟ ମନେକରି ନାହିଁ।

ସୂଚନାଯୋଗ୍ୟ, ତାମିଲନାଡୁରୁ ପି. ଚିଦାମ୍ବରମ, କର୍ନାଟକରୁ ଜୟରାମ ରମେଶ, ହରିୟାଣାରୁ ଅଜୟ ମାକେନ ଏବଂ ରାଜସ୍ଥାନରୁ ରଣଦୀପ ସୂର୍ଯ୍ୟେୱାଲା, ମୁକୁଲ ୱାସ୍‌ନିକ ଏବଂ ପ୍ରମୋଦ ତିୱାରୀ, ମଧ୍ୟପ୍ରଦେଶରୁ ବିବେକ ତନ୍‌ଖା, ଛତିଶଗଡ଼ରୁ ରାଜୀବ ଶୁକ୍ଲା ଏବଂ ରଣଜିତ ରଞ୍ଜନ ଏବଂ ମହାରାଷ୍ଟ୍ରରୁ ଇମ୍ରାନ୍‌ ପ୍ରତାପଗଢ଼ିଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରିଛି।

 

Share