ଅଳପୁଆ-ଦାମୋଦରପାଟଣା ରାସ୍ତା ଶୋଚନୀୟ

ପଟ୍ଟାମୁଣ୍ଡାଇ,୨୫ା୭ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ-ଦାମୋଦରପାଟଣା ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ମରଣଯନ୍ତା ପାଲଟିଛି। ରାସ୍ତାରେ ଆଣ୍ଢୁଏ ଲେଖାଏ ଗାତ ସୃଷ୍ଟି ହୋଇଛି। ଏହି ରାସ୍ତାରେ ଶତାଧିକ ବଡ଼ ବଡ଼ ଖାଲଖମା ସୃଷ୍ଟିହୋଇ ବର୍ଷାଦିନେ ଯାତାୟାତ ଅସମ୍ଭବ ହୋଇପଡୁଛି। ବର୍ଷାଦିନେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯାଇ ପାରୁନାହାନ୍ତି। ଏପରି କି ସନ୍ଧ୍ୟା ହେଲେ ଏହି ଗ୍ରାମକୁ ଯିବା ଅସମ୍ଭବ ହୋଇପଡ଼େ। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀନରେ ଥିବା ଉକ୍ତ ରାସ୍ତାର ୪୦୦ ମିଟର ଲମ୍ବ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହାର ପୁନର୍ବାର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହି ରାସ୍ତାରେ ଗାତ ସୃଷ୍ଟି ହୋଇ ଯାତାୟାତ ସମୟରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏହି ବ୍ୟସ୍ତବହୁଳ ରାସ୍ତାର ତୁରନ୍ତ ନିର୍ମାଣ ପାଇଁ ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତିସଭ୍ୟ ରାମଚନ୍ଦ୍ର ସେଠୀ, ରଞ୍ଜିତ ନାୟକ, ଶତ୍ରୁଘ୍ନ ମଲିକ, ରବୀନ୍ଦ୍ର ଧଳ, ଉମାକାନ୍ତ ବିହାରୀ, ବବ୍ରୁବାହନ ଧଳ, କୃତ୍ତିବାସ ସାହୁ, ସୁକାନ୍ତ ରାଉତ ପ୍ରମୁଖ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।