ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର ଦେବେ ଅଲୁ ଅର୍ଜୁନ

୨୦୨୧ରେ ମୁକ୍ତିଲାଭ ସାଉଥ ଫିଲ୍ମ ‘ପୁଷ୍ପା’ର ଜଲଓ୍ବା ଏବେଯାଏଁ ଲୋକଙ୍କ ମନରୁ ଲିଭିନି। ‘ପୁଷ୍ପା’ର ଗୀତ, ଆକ୍ସନ ଏବଂ ଅଲୁ ଅର୍ଜୁନଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ସିନେମାଟି ଦେଶବିଦେଶରେ ଅନେକ ଲୋକପ୍ରିୟତା ହାସଲ କରିଥିଲା। ଏବେ ‘ପୁଷ୍ପା ୨’ କୁ ନେଇ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଏହାରି ଭିତରେ ଫିଲ୍ମର ଟିଜର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ନିର୍ମାତାଙ୍କ କହିବାନୁସାରେ, ଏହି ଫିଲ୍ମର ଟିଜର ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ରିଲିଜ ହେବ। ତାଙ୍କର ୪୨ତମ ଜନ୍ମଦିନ ୮ ଏପ୍ରିଲରେ ପଡୁଛି। ସେହି ଦିନ ‘ପୁଷ୍ପା: ଦି ରୁଲ୍‌’ର ଟିଜର ରିଲିଜ କରିବାକୁ ଘୋଷଣା କରାଯାଇଛି।
‘ପୁଷ୍ପା: ଦି ରୁଲ୍‌’ ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ରିଲିଜ ପୂର୍ବରୁ ‘ପୁଷ୍ପା ୨’ର ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୋଷ୍ଟରଟି ପୁଷ୍ପା ବିଷୟରେ ଅନେକ କିଛି କହିଛି। ଏଥିରେ କେବଳ ପୁଷ୍ପାର ହାତ ଦେଖାଯାଉଛି, ଯେଉଁଥିରେ ରକ୍ତ ଲାଗିଛି। ତାଙ୍କ କାଣୀ ଆଙ୍ଗୁଠି ସ୍ପଷ୍ଟ ଦେଖାଯାଉଛି, ଯାହାର ନଖ ବହୁତ ଲମ୍ବା ଏବଂ ନେଲପଲିସ ମଧ୍ୟ ଲଗାଯାଇଛି।
ନିର୍ଦ୍ଦେଶକ ସୁକୁମାରଙ୍କ ଦ୍ୱାରା ପ୍ରସ୍ତୁତ ‘ପୁଷ୍ପା ୨’ ଏକାଧିକ ଭାଷାରେ ମୁକ୍ତିଲାଭ କରିବ। ସାଉଥ ଷ୍ଟାର ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହାଦ ଫାସିଲ ସିନେମାରେ ପ୍ରମୁଖ ଭୂମିକାରେ ଅଛନ୍ତି।

Share