୧୦ ମାସ ହେଲା ମିଳିନି ଭତ୍ତା ଟଙ୍କା

ବାଲିଆପାଳ, ୭ା୧୧: (ଅମୂଲ୍ୟ କୁମାର ଦାସ): ବୃଦ୍ଧାବୃଦ୍ଧ, ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇ ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରୁଛନ୍ତି। ତେବେ ସରକାରଙ୍କର ବିଭିନ୍ନ ନୀତିନିୟମ ଭିତରେ ଛନ୍ଦି ହୋଇ ଅନେକ ହିତାଧିକାରୀ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ଏଭଳି ଜଣେ ବୃଦ୍ଧା ହେଲେ ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ପାରୁଳିଆ ଗ୍ରାମର ପାର୍ବତୀ ପ୍ରଧାନ। ତାଙ୍କର ସ୍ବାମୀ କି ପିଲାପିଲି ନାହାନ୍ତି। ଦୀର୍ଘଦିନ ହେବ ସେ ହୃଦରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। ତାଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହିଁ ତାଙ୍କର ଔଷଧ ଖର୍ଚ୍ଚର ବଡ଼ ମାଧ୍ୟମ ଥିଲା। ପ୍ରଥମେ ତାଙ୍କୁ ୭୦୦ ଟଙ୍କା ହିସାବରେ ଭତ୍ତା ଟଙ୍କା ମିଳୁଥିଲା। ପରେ ତାଙ୍କ ବ୍ୟାଙ୍କ ଖାତାକୁ ୨୦୨୨ଠାରୁ ୨୦୨୩ ମସିହା ଜାନୁୟାରୀ ପର୍ଯ୍ୟନ୍ତ ୫୦୦ ଟଙ୍କା କରି ଆସିଥିଲା। ତେବେ ତାହା ପରଠାରୁ ତାଙ୍କ ଖାତାକୁ ଭତ୍ତା ଟଙ୍କା ଆସୁନାହିଁ କିମ୍ବା ଅଫ୍‌ଲାଇନରେ ମଧ୍ୟ ଦିଆଯାଉନାହିଁ। ଭତ୍ତା ଟଙ୍କା ପାଇଁ ପାର୍ବତୀ ବହୁ ଲୋକଙ୍କୁ ଗୁହାରୀ କରି ଗ୍ରାମବାସୀ ସହ ବ୍ଲକ ସୁରକ୍ଷା ଅଧିକାରୀଙ୍କ ପାଖକୁ ଯାଇ ପଚାରିଥିଲେ। ସୁରକ୍ଷା ଅଧିକାରୀ ଆଧାର ସହ ବ୍ୟାଙ୍କ ଲିଙ୍କ ନ ଥିବା କହିଥିଲେ। ତା’ ପରେ ପାର୍ବତୀ ଗ୍ରାମବାସୀ ସହ ବ୍ୟାଙ୍କ ଯାଇ ପଚାରିଥିଲେ। ବ୍ୟାଙ୍କ କର୍ମଚାରୀ କହିଥିଲେ ଆଧାର ସହ ବ୍ୟାଙ୍କ ଲିଙ୍କ୍‌ ଅଛି, ପୁଣି ବ୍ଲକ ଯାଇ ସେ ଜଣାଇଥିଲେ। ବ୍ଲକ ପ୍ରଶାସନ ଜିଲା ପ୍ରଶାସନ ଉପରେ ଦୋଷ ଲଦି ଚୁପ୍‌ ବସିଛି। ଭତ୍ତା ଟଙ୍କା ନ ପାଇ ପାର୍ବତୀ ରୋଗଶଯ୍ୟାରେ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ବାଲିଆପାଳ ବ୍ଲକରେ ଏଭଳି ୬୭ଜଣ ହିତାଧିକାରୀ ଫେବୃୟାରୀଠାରୁ ଭତ୍ତା ଟଙ୍କା ନ ପାଇ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ଅସହାୟ ବୃଦ୍ଧାବୃଦ୍ଧଙ୍କୁ ତାଙ୍କ ଘରେ ଭତ୍ତା ଦେବାର ସରକାରୀ ନିୟମ ଥିଲା ବେଳେ ବାଲିଆପାଳ ବ୍ଲକରେ ସବୁ ନିୟମ ଊଲ୍ଲଘଂନ ହୋଇଚାଲିଛି। ଏ ସମ୍ପର୍କରେ ବାଲିଆପାଳ ବ୍ଲକ ଭତ୍ତା ଦାୟିତ୍ୱରେ ଥିବା ସାମାଜିକ ସୁରକ୍ଷା ଅଧିକାରୀ ଶର୍ମିଷ୍ଠା ପାତ୍ରଙ୍କୁ ପଚାରିବାରୁ ଆଧାର ଅପଡ଼େଟ ହୋଇ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି କହିଛନ୍ତି।