ନ୍ୟୁଜିଲାଣ୍ଡ ମହିଳାଙ୍କୁ ଅନୁପଯୁକ୍ତ ଭାବେ ସ୍ପର୍ଶ ଅଭିଯୋଗ

ଓ୍ବେଲିଂଟନ୍‌, ୨୪।୪: ନିକଟରେ ନ୍ୟୁଜିଲାଣ୍ଡର କାଣ୍ଟବରିରେ ଅନୁଷ୍ଠିତ ବ୍ୟବସାୟ ସମ୍ମିଳନୀରେ ଯୋଗ ଦେଇଥିବା ୨ ଭାରତୀୟ ଜଣେ ମହିଳାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ସରକାରୀ ମନ୍ତ୍ରୀ ହୋଇଥିବାବେଳେ ଅନ୍ୟ ଜଣେ ଅମୁଲ କମ୍ପାନୀ ପ୍ରତିନିଧି ଥିବା କୁହାଯାଉଛି। ମହିଳାଙ୍କ ଅଭିଯୋଗକ୍ରମେ ଅମୁଲ କମ୍ପାନୀ ପକ୍ଷରୁ ପ୍ରତିନିଧି ଭାବେ ଯାଇଥିବା ୨ ଜଣଯାକ ବ୍ୟକ୍ତି ମହିଳାଙ୍କୁ ଖରାପ ଉଦ୍ଦେଶ୍ୟ ରଖି ଅନୁପଯୁକ୍ତ ଭାବେ ସ୍ପର୍ଶ କରିବା ସହ ତାଙ୍କ ଫଟୋ ଉଠାଇଥିଲେ। ଅଭିଯୋଗ ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ସେଠାରେ ଉପସ୍ଥିତ ଥିବା ନ୍ୟୁଜିଲାଣ୍ଡର କୃଷିମନ୍ତ୍ରୀ ଡାମିଏନ୍‌ ଓକୋନୋର ଏବଂ ଏଗ୍ରିକଲ୍‌ଚର ଅଣ୍ଡର-ସେକ୍ରେଟାରୀ ଜୋ ଲକ୍ସଟୋନ୍‌ ଏଭଳି କୌଣସି ଘଟଣା ଘଟିବାର ଦେଖି ନ ଥିବା କହିଛନ୍ତି। ମହିଳାଙ୍କ ଦ୍ୱାରା ୨ ଭାରତୀୟଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଏବେ ପ୍ରାଇମେରି ଇଣ୍ଡଷ୍ଟ୍ରିଜ୍‌ ମନ୍ତ୍ରଣାଳୟର ଅନ୍ତର୍ଜାତୀୟ ନୀତି ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅନ୍ୟପକ୍ଷେ ଘଟଣାର ସମାଧାନ ପାଇଁ ଦୁଇ ପକ୍ଷଙ୍କ ସହ ଆଲୋଚନା କରାଯାଉଥିବା ଅମୁଲ କମ୍ପାନୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜୟେନ ମେହେଟା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

 

Share