Categories: ଜାତୀୟ

ଝାଡ଼ଖଣ୍ଡରେ ସରକାରଙ୍କୁ କ୍ଷମତାଚ୍ୟୁତ ଷଡ଼ଯନ୍ତ୍ର ଅଭିଯୋଗ, ଚିଠିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ନାମ…

ରାଞ୍ଚି, ୩୧।୭ : ଝାଡଖଣ୍ଡର ୩ ବିଧାୟକଙ୍କଠାରୁ ନଗଦ ଟଙ୍କା ଜବତ ପରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ଅଭିଯୋଗ ଆସୁଛି। ଝାଡଖଣ୍ଡର ଜଣେ କଂଗ୍ରେସ ବିଧାୟକ ଏକ ଚିଠି ପ୍ରକାଶ କରିଛନ୍ତି। ଏହି ଲେଟର ବମ୍‌ ଯୋଗୁ ରାଜ୍ୟ ରାଜନୀତି ସରଗରମ ହେବାରେ ଳାଗିଛି।

ବେରମୋ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ କୁମାର ଜୟମଙ୍ଗଲ ସିଂ ହାୱଡ଼ାରେ ଧରାଯାଇଥିବା ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହା ସହିତ ଜୟମଙ୍ଗଲ ସିଂ ଚିଠିରେ ଲେଖିଛନ୍ତି ଯେ ଝାଡଖଣ୍ଡରେ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଷଡଯନ୍ତ୍ର ହୋଇଛି। ଏଥିରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମାଙ୍କ ସମ୍ପୃକ୍ତି ରହିଛି। କୁମାର ଜୟମଙ୍ଗଲ ସିଂ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଏହି ତିନିଜଣ ବିଧାୟକ ତାଙ୍କୁ ଭେଟିବା ପାଇଁ କୋଲକାତା ଡାକିଥିଲେ।

ଜୟମଙ୍ଗଲଙ୍କ କହିବାନୁସାରେ, ଏହା ପରେ ତିନିଜଣ ବିଧାୟକ ତାଙ୍କୁ ଗୁଆହାଟୀକୁ ନେବାକୁ ଚାହୁଁଥିଲେ ଏବଂ ସେଠାରେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମାଙ୍କୁ ଭେଟିବାର ଯୋଜନା ଥିଲା। ଏହି ଚିଠିରେ କଂଗ୍ରେସ ବିଧାୟକ ଲେଖିଛନ୍ତି ଯେ ଆସାମର ମୁଖ୍ୟମନ୍ତ୍ରୀ ଏହି ଲୋକଙ୍କୁ କିଛି ବିଶେଷ ପ୍ରତିଶୃତି ଦେଇଥିଲେ।

ପ୍ରତିଶ୍ରୁତିି ଅନୁଯାୟୀ, ଝାଡଖଣ୍ଡର କଂଗ୍ରେସ ଏବଂ ଜେଏମଏମ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। ଏହା ପରେ ଗଠିତ ନୂତନ ସରକାରରେ ବିଧାୟକମାନଙ୍କୁ ମଧ୍ୟ ମନ୍ତ୍ରୀ ପଦ ଏବଂ ୧୦ କୋଟି ଟଙ୍କା ଦେବାକୁ କୁହାଯାଇଥିଲା। ଏବେ ଜୟମଙ୍ଗଳଙ୍କ ଏହି ଚିଠି ନେଇ କଂଗ୍ରେସ ଭାଜପାକୁ ଟାର୍ଗେଟ କରିବା ଆରମ୍ଭ କରିଛି।

Share