ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଖୋର୍ଦ୍ଧା ଅଫିସ,୧୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଏହି ସମୟରେ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇପାରିବ ନାହିଁ। ଏଥିଲାଗି ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ରହିଛି। ମଙ୍ଗଳବାର ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୫-ଟି ରୂପାନ୍ତରଣ ଅନ୍ତର୍ଗତ ବିଦ୍ୟାଳୟ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ ଅନୁଜ ଦାସ ପଟ୍ଟନାୟକ, ଉପଜିଲାପାଳ(ଖୋର୍ଦ୍ଧା) ଆଇ. ଗୌରବ ଶିବାଜୀ, ଦେବବ୍ରତ ସାହୁ(ଭୁବନେଶ୍ୱର), ପିଡି ଡିଆରଡିଏ ଦିଗନ୍ତ ରାଉତରାୟଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ଓ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଉପସ୍ଥିତ ଥିଲେ। ଜିଲାପାଳ ରାଜ୍ୟ ସରକାରଙ୍କ ରୂପାନ୍ତରିତ ବିଦ୍ୟାଳୟ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ସହ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଜିଲାପାଳ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ଭାଜପା ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଏ ସମ୍ପର୍କରେ ଖୋର୍ଦ୍ଧା ଜିଲା ନିର୍ବାଚନ ପର୍ଯ୍ୟବେକ୍ଷକ ଧନଞ୍ଜୟ ସ୍ବାଇଁ କହିଛନ୍ତି, ଆଦର୍ଶ ଆଚରଣ ବିଧି ସମୟରେ କୌଣସି ସରକାରୀ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଯଦି ଏଭଳି କାର୍ଯ୍ୟକ୍ରମ ହୋଇଛି, ଘଟଣାର ତଦନ୍ତ କରାଯିବ। ଅନ୍ୟପକ୍ଷରେ ଭାଜପା ରାଜ୍ୟ ସମ୍ପାଦକ ଗୋଲଖ ମହାପାତ୍ର କହିଛନ୍ତି, ଭାଜପା ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟି ଆକର୍ଷଣ ସହ ଜିଲାପାଳଙ୍କ ବଦଳି ପାଇଁ ଦାବି କରାଯିବ। କଂଗ୍ରେସ ପିସିସି ମିଡିଆ ସେଲ ଆବାହକ ସତ୍ୟପ୍ରକାଶ ନାୟକ କହିଛନ୍ତି, ଜିଲା ପ୍ରଶାସନ ଶାସକ ଦଳ ପାଇଁ କାର୍ଯ୍ୟ କରୁଛି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି। ଜିଲାପାଳଙ୍କୁ ତୁରନ୍ତ ବଦଳି ଲାଗି କଂଗ୍ରେସ ଦାବି କରୁଛି। ଏନେଇ ଜିଲାପାଳ ମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।