ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ସ୍ୱାମୀଙ୍କ ନାଁରେ ମାମଲା ରୁଜୁ

ଦିଗପହଣ୍ଡି, ୨୯/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ବ୍ଲକର ଏକ ଗ୍ରାମର ଜଣେ ଯୁବତୀ ପ୍ରାୟ ଏକ ବର୍ଷ ପୂର୍ବେ ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମର ଶଙ୍କର ସାହୁଙ୍କୁ ବିବାହ କରିଥିଲେ। ବିବାହର କିଛି ମାସ ହସଖୁସିରେ କଟିବା ପରେ ସ୍ୱାମୀ ଶଙ୍କର ତାଙ୍କୁ ବିଭିନ୍ନ କଟୁ କଥା କହିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ଏପରିକି ଗର୍ଭାବସ୍ଥାରେ ସ୍ୱାମୀ ତାଙ୍କୁ ମାଡ଼ ମାରିବାରୁ ସେ ବାପଘରକୁ ଚାଲିଆସିଥିଲେ। ବର୍ତ୍ତମାନ ସେ ବାପଘରେ ରହୁଥିବା ବେଳେ ସ୍ୱାମୀ ତାଙ୍କୁ କୌଣସି ଭରଣପୋଷଣ ଦେଉନଥିବାରୁ ଆର୍ଥିକ ଅନଟନରେ କାଳାତିପାତ କରୁଥିବା ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ଜନ୍ମିତ ଶିଶୁପୁତ୍ରର ଚିକିତ୍ସା ପାଇଁ ମଧ୍ୟ ସ୍ୱାମୀ ଡାକ୍ତରଖାନା ନେଉନଥିବା ସେ ଅଭିଯୋଗ କରିଛନ୍ତି।

ଫୋନ୍‌ କଲେ ସ୍ୱାମୀ ଅଶ୍ଳୀଳ ଓ ଆପତ୍ତିଜନକ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଉଥିବା ନେଇ ସେ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏହାକୁ ଆଧାର କରି ଥାନା ଆଇଆଇସି ବିଶ୍ୱଜିତ ନାୟକ ମାମଲା ନଂ. ୩୭୫/୨୬, ବିଏନ୍‌ଏସ୍‌ର ଧାରା ୨୯୬/୧୧୫(୨)/୮୫/୩୫୧(୨) ଅନୁଯାୟୀ ଅଭିଯୁକ୍ତ ସ୍ୱାମୀ ଶଙ୍କର ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

Dharitri – Odisha’s No.1 Odia Daily

Share