ମସ୍କଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ଓକ୍‌ଲାଣ୍ଡ,୨୧।୫: ଟେସ୍‌ଲା ସିଇଓ ଏଲନ୍‌ ମସ୍କ ୨୦୧୬ରେ ନିଜ କମ୍ପାନୀ ସ୍ପେସେକ୍ସର ଏକ ପ୍ରାଇଭେଟ୍‌ ଜେଟ୍‌ରେ ଯାତ୍ରାବେଳେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାକୁ ରଫାଦଫା କରିବା ପାଇଁ ସ୍ପେସେକ୍ସ ୨୦୧୮ରେ ତାଙ୍କୁ ୨୫୦,୦୦୦ ଡଲାର ଦେଇଥିବା ସମ୍ପୃକ୍ତ ଆଟେଣ୍ଡାଣ୍ଟଙ୍କ ଜଣେ ବାନ୍ଧବୀ ପ୍ରଘଟ କରିଛନ୍ତି। ଏନେଇ ମସ୍କ ନିଜ ପ୍ରତ୍ରିକ୍ରିୟାରେ ଅଭିଯୋଗ ଆଣିଥିବା ବାନ୍ଧବୀଙ୍କୁ ମିଛୁଆ ଅଭିହିତ କରି ଏପରି କୌଣସି ଘଟଣା ଘଟି ନ ଥିବା କହିଛନ୍ତି।
ଇନ୍‌ସାଇଡର’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ମସ୍କ କୁଆଡେ ଲଣ୍ଡନ ଯାତ୍ରା ବେଳେ ଫ୍ଲାଇଟ୍‌ର ମହିଳା ଆଟେଣ୍ଡାଣ୍ଟଙ୍କ ପଛପଟେ ଘଷି ହୋଇଥିଲେ। ଏଥିସହ ଫ୍ଲାଇଟ୍‌ରେ ମସାଜ୍‌ ବେଳେ ତାଙ୍କୁ ଅଧିକ ଯୌନ ଅନୁଗ୍ରହ ଦେଖାଇଲେ ଆଟେଣ୍ଡାଣ୍ଟଙ୍କ ପାଇଁ ଏକ ଘୋଡ଼ା କିଣିଦେବେ ବୋଲି କହିଥିଲେ। ମହିଳା ଜଣକ ପ୍ରଥମେ ମସ୍କଙ୍କ ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ତେବେ ସେ ଚାକିରିରୁ ବିଦା ହୋଇପାରନ୍ତି ବୋଲି ଆଶଙ୍କା କରି ରାଜି ହୋଇଥିଲେ। ୨୦୧୮ରେ ମହିଳାଙ୍କୁ ମୁହଁ ନ ଖୋଲିବା ପାଇଁ ମସ୍କଙ୍କ କମ୍ପାନୀ ସ୍ପେସେକ୍ସ ୨୫୦,୦୦୦ ଡଲାର ଦେଇଥିଲେ। ବାନ୍ଧବୀ ଆହୁରି କହିଛନ୍ତି, ମସ୍କ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ। ସେ ଏତେ ଶକ୍ତିଶାଳୀ ଯେ, କାହାରି ବି କ୍ଷତି କରିପାରିବେ ଏବଂ ଅର୍ଥ ଦେଇ ମାମଲା ରଫାଦଫା କରିପାରିବେ, ଯାହାକି ଦାୟିତ୍ୱହୀନ। ଏପରି ମାମଲାରେ ଆପଣ ନୀରବ ରହିଲେ ସେହି ବ୍ୟବସ୍ଥାର ଅଂଶ ପାଲଟିଯାଆନ୍ତି, ଯାହା ମସ୍କଙ୍କ ଭଳି ଲୋକଙ୍କୁ ଭୁଲ୍‌ କାର୍ଯ୍ୟ ଭିଆଇବାକୁ ପ୍ରେରିତ କରିଥାଏ। ମସ୍କ ଟୁଇଟ୍‌ କରିଛନ୍ତି, ଷ୍ଟୋରିରେ ଆହୁରି ବହୁତ କଥା ଅଛି। ଯଦି ସେ ଯୌନ ଶୋଷଣରେ ଲିପ୍ତ ଥାଆନ୍ତେ ତେବେ ତାଙ୍କର ୩୦ ବର୍ଷର କ୍ୟାରିୟରରେ ପୂର୍ବରୁ ଏଭଳି ଅଭିଯୋଗ କାହିଁକି ଆସିନାହିଁ। ତାଙ୍କ ବିରୋଧରେ ହୋଇଥିବା ଏହି ଆକ୍ରମଣକୁ ରାଜନୈତିକ ଦୃଷ୍ଟିରୁ ଦେଖାଯିବା ଉଚିତ।

Share