ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଯୁବକ ଗିରଫ

କାଳିଆପାଣି,୧୧ା୭(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ କାଳିଆପାଣି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ସାରୁଆବିଲ ନୂଆସାହିର ପଞ୍ଚାନନ ପ୍ରଧାନ। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କାଳିଆପାଣି ଥାନା ଅଞ୍ଚଳରେ ରହୁଥିବା ଜଣେ ନାବାଳିକା(୯) ନିଜ ବୁଢ଼ୀ ମା’ଙ୍କ ସହିତ ରବିବାର ରାତି ପ୍ରାୟ ୮ଟା ସମୟରେ ଗାଁରେ ହେଉଥିବା ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। ବୁଢ଼ୀମା’ ବିବାହ ଉତ୍ସବରେ ବ୍ୟସ୍ତ ଥିବା ବେଳେ ନାବାଳିକା ନିଜ ସାଙ୍ଗମାନଙ୍କ ସହ ବାହାରେ ଖେଳୁଥିଲେ। ଏହି ସମୟରେ ପଞ୍ଚାନନ ସେଠାରେ ପହଞ୍ଚତ୍ ନାବାଳିକାଙ୍କୁ ଘରେ ଛାଡି ଦେବି ବୋଲି କହିଥିଲେ। ହେଲେ ନାବାଳିକା ରାଜି ନ ହେବାରୁ ପଞ୍ଚୁ ତାକୁ ନିକଟସ୍ଥ ଏକ ଅନ୍ଧାରୁଆ ସ୍ଥାନକୁ ଟେକି ନେଇ ବଳାତ୍କାର କରିଥିଲେ। ଝିଅଟି ପାଟି କରିବାରୁ ସେ ତାଙ୍କ ମୁହଁକୁ ଚାପି ଧରିଥିଲେ। ଏହାର କିଛି ସମୟ ପରେ ନାବାଳିକା ଜଣକ ଚେତାଶୂନ୍ୟ ହୋଇପଡିଥିଲେ। ଏହା ପରେ ପଞ୍ଚାନନ ସେଠାରୁ ପଳାଇ ଯାଇଥିଲେ। ଚେତା ଫେରିବା ପରେ ଝିଅଟି ଘରକୁ ଫେରି ସମସ୍ତ କଥା ପରିବାର ଲୋକଙ୍କୁ କହିବା ପରେ ରବିବାର ରାତିରେ ଏ ସମ୍ପର୍କରେ କାଳିଆପାଣି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଥାନା ଅଧିକାରୀ ସୁଶାନ୍ତ ଦାସ ଘଟଣାର ତଦନ୍ତ କରି ସୋମବାର ଭୋରୁ ପଞ୍ଚୁଙ୍କୁ ତାଙ୍କ ଘରୁ ଗିରଫ କରିଥିଲେ।