Categories: ଅନୁଗୋଳ

ଚିକିତ୍ସା ନ ପାଇ ରୋଗୀ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ୍‌, ୨।୮: ଅସୁସ୍ଥ ହୋଇ ଶୁକ୍ରବାର ରାତିରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ସମଲ ଅଞ୍ଚଳରେ ରହୁଥିବା ବାଦଲ ଦଳାଇ (୪୬) ବୋଲି ଜଣାପଡିଛି। ଡାକ୍ତର, କର୍ମଚାରୀ ଠିକ୍‌ ସମୟରେ ଚିକିତ୍ସା ନ ଯୋଗାଇବାରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ତ୍ରୀ କାଜଲ ଦଳାଇ ଅଭିଯୋଗ ଆଣିଛନ୍ତି। ବାଦଲଙ୍କୁ ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ତାଳଚେରସ୍ଥିତ ମଣ୍ଡାପାଳ ଡାକ୍ତରଖାନା ଓ ପରେ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଜିଲା ଚିକିତ୍ସାଳୟ ପୂର୍ବରୁ ସ୍ଥାନୀୟ ଘରୋଇ ଡାକ୍ତରଖାନାକୁ ବାଦଲଙ୍କୁ ନିଆଯାଇଥିଲେ ହେଁ ସେଠାରୁ ତାଙ୍କୁ ଫେରାଇ ଦିଆଯାଇଥିବା କାଜଲ ଅଭିଯୋଗ କରିଛନ୍ତି। ଅବସ୍ଥା ଗୁରୁତର ଥିଲେ ମଧ୍ୟ ତାଙ୍କୁ ମୁଖ୍ୟ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ଯୋଗାଯାଇ ନ ଥିଲା। ଶ୍ୱାସକ୍ରିୟାରେ ଅସୁବିଧା ହେଉଥିବା ଜାଣିବା ପରେ କେହି ଚିକିତ୍ସା ପାଇଁ ନ ଆସି କରୋନା ୱାର୍ଡକୁ ଯିବାକୁ କହିଥିଲେ। ପରେ କରୋନା ୱାର୍ଡରେ ଭର୍ତ୍ତି ନ କରି କାଜୁଆଲଟିକୁ ନେବାକୁ କହିଥିଲେ। ଏହା ଭିତରେ ପ୍ରାୟ ୪ ଘଣ୍ଟା ବିତିଯାଇଥିବାବେଳେ ଚିକିତ୍ସା ଅଭାବରୁ ବାଦଲଙ୍କ ମୃତ୍ୟୁ ଘଟିଥିବା କାଜଲ କହିଛନ୍ତି। ମୃତ୍ୟୁ ପରେ ବାଦଲଙ୍କୁ କରୋନା ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ଘଣ୍ଟାଏ ପରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା କର୍ମଚାରୀ କହିଥିଲେ ବୋଲି କାଜଲ ଅଭିଯୋଗ କରିଛନ୍ତି।
ପାଖାପାଖି ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମୃତଦେହ ବାହାରେ ପଡିରହିଥିଲା। କରୋନା ଟେଷ୍ଟ ପାଇଁ ତାଙ୍କର ସ୍ବାବ୍‌ ନିଆଯାଇ ନ ଥିଲା। ଏପରିକି ବ୍ୟବଚ୍ଛେଦ ମଧ୍ୟ କରାଯାଇ ନ ଥିବା ପରିବାର ଲୋକେ କହିଛନ୍ତି। ଶନିବାର ଭୋର ସମୟରେ ମୃତଦେହ ଘରକୁ ନିଆଯାଇଥିଲା।
ଏ ନେଇ ଜିଲା ମୁଖ୍ୟଚିକିତ୍ସାଳୟର ସିଡିଏମ୍‌ଓ ଅଭୟ କୁମାର ଦାଶଙ୍କୁ ପଚାରିବାରେ କହିଛନ୍ତି, ମେଡିକାଲରେ କ’ଣ ହୋଇଛି ସେ ନେଇ ଅବଗତ ନାହାନ୍ତି। ଏଭଳି କିଛି ଘଟିଥିଲେ ମେଡିକାଲ ଏଡିଏମ୍‌ଓ ଜଣାଇଥାନ୍ତେ। ଏଡିଏମ୍‌ଓ ବିଶ୍ୱ ବିହାରୀ ମହାନ୍ତି କହିଛନ୍ତି, ତାଙ୍କ ନିକଟକୁ ସେଭଳି କିଛି ସୂଚନା ଆସିନାହିଁ। ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ତେବେ କରୋନା ସମୟରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ କିଭଳି କୌଣସି ତଥ୍ୟ ରହୁନାହିଁ, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।