ଭୁଲ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଘରୋଇ ଡାକ୍ତରଖାନାରେ ଉତ୍ତେଜନା

ଭଦ୍ରକ,୧୧ା୮(ସନାତନ ରାଉତ): ଭଦ୍ରକ ସହରର ଏକ ଘରୋଇ ହସ୍ପିଟାଲରେ ଅପରେଶନ ଟେବୁଲରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଭୁଲ ଚିକିତ୍ସାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।
ସୂଚନା ଅନୁଯାୟୀ, ମୁତାବକ ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତାଙ୍କର ଟ୍ୟୁମର ଅପରେଶନ ପାଇଁ ବୁଧବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ରାତିରେ ତାଙ୍କର ଅପରେସନ ଚାଲିଥିବା ବେଳେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଶୁକ୍ରବାର ସକାଳୁ ଏ ନେଇ ମୃତକଙ୍କ ସମ୍ପର୍କୀୟ ହସ୍ପିଟାଲରେ ହୋହାଲ୍ଲା କରିଥିଲେ। ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା। ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ହସ୍ପିଟାଲ କର୍ତ୍ତୃପକ୍ଷ ଓ ମୃତକଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରି ଆପୋଷ ସମାଧାନ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଆଧାରରେ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ସିଟି ଡିଏସ୍‌ପି କହିଛନ୍ତି। ତେବେ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ରୋଗୀର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଏହାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି।