ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ବ୍ଲକର ବୋରପଦର ଗ୍ରାମ ପଞ୍ଚାୟତରେ ଡିସେମ୍ବର ୨୦୨୫ ରୁ ଚଳିତ ମାସ ୬ ତାରିଖ ମଧ୍ୟରେ ମନରେଗା ଯୋଜନାରେ ୧୭ ଟି ବିଭିନ୍ନ ପ୍ରକଳ୍ପ ଗୁଡିକରେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ ହୋଇଛି ।

ପ୍ରକଳ୍ପ ଗୁଡିକ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । କନିଷ୍ଠ ଯନ୍ତ୍ରୀ ବିଲ୍ ନକରି ମନରେଗା ଦାୟିତ୍ଵରେ ଥିବା ଅଧିକାରୀମାନେ ଅନଲାଇନ୍ ପେମେଣ୍ଟ୍ ପାଇଁ ( ଏଫ୍ ଟି ଓ) ଫଣ୍ଡ ଟ୍ରାନ୍ସଫର ଅର୍ଡର( ଏଣ୍ଟ୍ରି) କରିଥିବା ନେଇ ବୋରପଦର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଧବ ସାହୁ ଓ ଭଟାପଲା ଗ୍ରାମର ଲୋକମାନେ ଜିଲାପାଳ କଳାହାଣ୍ଡି, ଦୁର୍ନୀତି ନିବାରଣ ଵିଭାଗ ଏସପି, ଡିଏସପି ଭବାନୀପାଟଣାଙ୍କୁ ସାକ୍ଷାତ୍ କରିବା ସହ ଉଚିତ ତଦନ୍ତ କରାଯିବାକୁ ଦାବି କରି ଲିଖିତ ଭାବେ ଅଭିଯୋଗ ଜଣାଇଥିବା ପୂର୍ବତନ ସରପଞ୍ଚ ମାଧବ ସାହୁ କହିଛନ୍ତି ।

ଆମେ ଜିଲା ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ ମନରେଗା ସାଇଟରୁ ଏଫ୍ ଟି ଓ ହୋଇଥିବା ବିଭିନ୍ନ ପ୍ରକଳ୍ପର ପେମେଣ୍ଟ ବୀବରଣୀକୁ ବ୍ଲକ ପ୍ରଶାସନ କିଭଳି ଓ କେଉଁ କାରଣରୁ ଡିଲିଟ କରିଦେଲେ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ କନିଷ୍ଠ ଯନ୍ତ୍ରୀ ବିନୟ ପ୍ରସାଦ ସାହୁଙ୍କୁ ପଚାରିବାରୁ ମୁଁ ଅଭିଯୋଗ ହୋଇଥିବା ନିର୍ଦ୍ଦିଷ୍ଟ କିଛି ପ୍ରକଳ୍ପ ଗୁଡିକର ମ୍ୟାଟେରିଆଲ ବିଲ୍ କରି ନାହିଁ, ତେବେ କିଭଳି ଏମିତି ହେଉଛି ମୁଁ ବୁଝପାରୁନାହିଁ ବୋଲି କହିଛନ୍ତି । ଠିକ୍ ସେହପରି ବୋର ପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁବାଷ ସାହୁଙ୍କୁ ପଚାରିବାରୁ ଏଫ୍ ଟି ଓ ହୋଇ ନାହିଁ, ଏହା ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି।

ଅନ୍ୟପଟେ ସାଇଟରୁ ତଥ୍ଯ କାହିଁକି ଡିଲିଟ କରାଗଲା ବୋଲି ସମ୍ପୁକ୍ତ ଗ୍ରାମ ପଞ୍ଚାୟତର ମନରେଗା ଦାୟିତ୍ଵରେ ଥିବା ଏ ଡି ଇ ଓ ରାମ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ଡିଲିଟ କରିଥିବା ସ୍ୱୀକାର କରିବା ସହ ଡିଲିଟର କାରଣ ସଠିକ୍ ଭାବେ କହି ପାରି ନଥିଲେ । ଏଣୁ ଦୁର୍ନୀତି ଵିଭାଗ ପକ୍ଷରୁ ଉପୟୁକ୍ତ ତଦନ୍ତ କରାଗଲେ ଅଭିଯୋଗର ସତ୍ୟାସତ୍ୟ ଜାଣିହେବ ବୋଲି ଭଟାପଲା ଗ୍ରାମର ରୁଦ୍ର ମଣୀ ସାହୁ ଓ କ୍ଷୀର ସିନ୍ଧୁ ସାହୁ କହିଛନ୍ତି ।

 

Dharitri – Odisha’s No.1 Odia Daily

Share