ତୁମୁଡ଼ିବନ୍ଧ, ୨୭/୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଅଧୀନରେ ଚାଉଳ ବଣ୍ଟନକୁ ନେଇ ସାଂଘାତିକ ଅନିୟମିତତାର ଅଭିଯୋଗ ଉଠିଛି। ହାତିମୁଣ୍ଡ ଗ୍ରାମରେ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। ଗ୍ରାମର ରାଶନକାର୍ଡ ହିତାଧିକାରୀମାନେ ନିଜ ପ୍ରାପ୍ୟ ଚାଉଳ ପାଇନଥିବା ବେଳେ ସରକାରୀ ରେକର୍ଡରେ ଚାଉଳ ବଣ୍ଟନ ହୋଇଥିବା ଦର୍ଶାଯାଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।
ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଏପ୍ରିଲ ମାସଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡରେ ମାସକୁ ମୁଣ୍ଡପିଛା ୫ କିଲୋଗ୍ରାମ ଚାଉଳ ଦେବାର ବ୍ୟବସ୍ଥା ରହିଛି। ଏହା ସହ ରାଶନକାର୍ଡରେ ମଧ୍ୟ ମୁଣ୍ଡପିଛା ୫ କିଲୋଗ୍ରାମ ଚାଉଳ ମିଳୁଥିବାରୁ ଉଭୟ କାର୍ଡ ମିଶାଇ ମାସକୁ ମୁଣ୍ଡପିଛା ୧୦ କିଲୋଗ୍ରାମ ଚାଉଳ ପାଇବାକୁ ହିତାଧିକାରୀମାନେ ଦାବି କରିଛନ୍ତି।
ତେବେ ଏପ୍ରିଲ, ମେ’ ଓ ଜୁନ୍—ଏହି ୩ ମାସରେ ମୁଣ୍ଡପିଛା ୩୦ କିଲୋଗ୍ରାମ ଚାଉଳ ବଦଳରେ ଜୁନ୍ ମାସରେ ମାତ୍ର ୧୫ କିଲୋଗ୍ରାମ ଚାଉଳ ଦିଆଯାଇଥିବା ହିତାଧିକାରୀମାନେ କହିଛନ୍ତି। ଏଥିସହ ରାଶନକାର୍ଡରେ ସମସ୍ତ ଚାଉଳ ଦିଆଯାଇଥିବା ଦର୍ଶାଯାଇଥିବା ମଧ୍ୟ ସେମାନଙ୍କ ଅଭିଯୋଗ। ସେହିପରି ଜୁଲାଇ ଓ ଅଗଷ୍ଟ ମାସରେ ମଧ୍ୟ ଅନୁରୂପ ବ୍ୟତିକ୍ରମ ହୋଇଥିବା ସେମାନେ କହିଛନ୍ତି।
ହିତାଧିକାରୀମାନଙ୍କ କହିବା ଅନୁଯାୟୀ, ଦୁଇ କିମ୍ବା ତିନି ମାସର ଚାଉଳ ଏକାଥରକେ ଦିଆଯାଉଥିବାରୁ ପ୍ରଥମେ ଏହି ବ୍ୟତିକ୍ରମ ସମ୍ପର୍କରେ ସେମାନେ ଜାଣିପାରି ନଥିଲେ। ପରେ ରାଶନକାର୍ଡରେ ଚାଉଳ ବଣ୍ଟନର ବିବରଣୀ ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିବା ସେମାନେ କହିଛନ୍ତି। ମୁଣ୍ଡପିଛା ୫ କିଲୋଗ୍ରାମ ଚାଉଳ ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ସେମାନଙ୍କ ପ୍ରାପ୍ୟ ଚାଉଳ ପ୍ରଦାନ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି।
ଏନେଇ ଲଙ୍କାଗଡ଼ ସମିତିସଭ୍ୟ ବିଭୀଷଣ ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏପ୍ରିଲଠାରୁ ଅଗଷ୍ଟ ମାସ ମଧ୍ୟରେ ୫ ମାସର ଚାଉଳ ଦୁଇଥର ଠିକ୍ ଭାବେ ଦିଆଯାଇନାହିଁ। ହିତାଧିକାରୀଙ୍କୁ ପ୍ରତି ମାସ ମୁଣ୍ଡପିଛା ୧୦ କିଲୋଗ୍ରାମ ଚାଉଳ ଦେବା ପରିବର୍ତ୍ତେ ୫ କିଲୋଗ୍ରାମ ଦିଆଯାଇଛି। ଏହାକୁ ସେ ବିରୋଧ କରିବା ସହ ତୁରନ୍ତ ବକେୟା ଚାଉଳ ପ୍ରଦାନ ଏବଂ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ସେହିପରି ଲଙ୍କାଗଡ଼ର ପୂର୍ବତନ ସରପଞ୍ଚ ହର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ସମ୍ପର୍କରେ ସରପଞ୍ଚ, ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ଲୋକଙ୍କୁ ଜଣାଇ ନଥିବାରୁ ହିତାଧିକାରୀମାନେ ଏହାର ସୂଚନା ପାଇପାରି ନାହାନ୍ତି। ଏହାର ସୁଯୋଗ ନିଆଯାଇଥିବା ଅଭିଯୋଗ କରି ସେ ତୁରନ୍ତ ତଦନ୍ତ କରି ହିତାଧିକାରୀଙ୍କ ପ୍ରାପ୍ୟ ଚାଉଳ ପ୍ରଦାନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଲଙ୍କାଗଡ଼ ପଞ୍ଚାୟତର ଯୋଗାଣ ସହାୟକ ସତ୍ୟ ସୁବନ ବଡ଼ସେଠଙ୍କୁ ପଚାରିବାରୁ ସେ ସମସ୍ତ ଚାଉଳ ଦିଆଯାଇଥିବା କହିଛନ୍ତି। ତେବେ ହିତାଧିକାରୀମାନେ ନିଜ ପ୍ରାପ୍ୟ ଚାଉଳ ପାଇନଥିବା ଅଭିଯୋଗ କରୁଥିବା ବେଳେ ସରକାରୀ ରେକର୍ଡରେ ଚାଉଳ ବଣ୍ଟନ ହୋଇଥିବା ଦର୍ଶାଯାଇଥିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି।
ଯଦି ହିତାଧିକାରୀଙ୍କ ଅଭିଯୋଗ ସତ୍ୟ ହୁଏ, ତେବେ ସରକାରୀ ରେକର୍ଡ ଓ ବାସ୍ତବ ଚାଉଳ ବଣ୍ଟନ ମଧ୍ୟରେ ତଫାତ ଥିବା ସ୍ପଷ୍ଟ ହେବ। ହିତାଧିକାରୀଙ୍କ ନାମରେ ଯଦି ଚାଉଳ ବଣ୍ଟନ ଦର୍ଶାଯାଇଛି, ତେବେ ବାସ୍ତବରେ ସେହି ଚାଉଳ କିଏ ନେଲା, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଦୁଇଟି କାର୍ଡରେ ଚାଉଳ ବଣ୍ଟନ ଦର୍ଶାଯାଇଥିବା ସତ୍ତ୍ୱେ ହିତାଧିକାରୀମାନେ ସମ୍ପୂର୍ଣ୍ଣ ପ୍ରାପ୍ୟ ପାଇନଥିବା ଅଭିଯୋଗର ମଧ୍ୟ ତଦନ୍ତ ଆବଶ୍ୟକତା ରହିଛି।
ଏହି ଅଭିଯୋଗ ସମ୍ପର୍କରେ ତୁମୁଡ଼ିବନ୍ଧ ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ତେବେ ତଦନ୍ତ ପରେ ଘଟଣାର ପ୍ରକୃତ ଚିତ୍ର କ’ଣ ସାମ୍ନାକୁ ଆସୁଛି ଏବଂ ହିତାଧିକାରୀମାନେ କେବେ ସେମାନଙ୍କ ପ୍ରାପ୍ୟ ଚାଉଳ ପାଇବେ, ତାହା ଦେଖିବାକୁ ବାକି ରହିଲା।