ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଅନିୟମିତତା ଅଭିଯୋଗ

ଢେଙ୍କାନାଳ,୩୦।୯(ରତନ ନାୟାର): ବଲାଙ୍ଗୀର ଠାରେ ଗତ ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଢେଙ୍କାନାଳ ଦଳରେ ୧୭ବର୍ଷରୁ କମ୍‌ ବିଭାଗରେ ଚୟନ ହୋଇଥିବା ହିନ୍ଦୋଳ ଉଚ୍ଚ ବିଦ୍ୟାଳୟର ବିଶ୍ୱରଞ୍ଜନ ପାଳଙ୍କୁ ସୁଯୋଗ ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ବଦଳରେ ଜିଲାର ଅନ୍ୟ ଏକ ହାଇସ୍କୁଲର ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିଲା, ଯିଏକି ୧୭ ବର୍ଷରୁ କମ୍‌ ଅଭ୍ୟାସ ସମୟରେ ଅଂଶଗ୍ରହଣ କରି ନ ଥିଲେ। ତେଣୁ ବିଶ୍ୱରଞ୍ଜନଙ୍କ ଜାଗାରେ ତାଙ୍କୁ କିଭଳି ସୁଯୋଗ ମିଳିଲା ଏହାକୁ ନେଇ ବିଶ୍ୱରଞ୍ଜନ, ତାଙ୍କ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ଏ ସଂକ୍ରାନ୍ତରେ ବିଶ୍ୱରଞ୍ଜନ ହିନ୍ଦୋଳ କ୍ରୀଡ଼ା ସଂଘ ନିକଟରେ ଅଭିଯୋଗ କରିବା ପରେ ସଂଘ ପକ୍ଷରୁ ସଭାପତି ସୌମିତ୍ର ରଞ୍ଜନ ବେହେରା ଓ ସମ୍ପାଦକ ସୁଶାନ୍ତ କୁମାର ନାୟକ ଲିଖିତ ଭାବରେ ଜିଲାପାଳ, ଜିଲା କ୍ରୀଡ଼ା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି କହିଛନ୍ତି, ଯେହେତୁ ଏହା ରାଜ୍ୟ ବିଦ୍ୟାଳୟ ପ୍ରତିଯୋଗିତା, ତେଣୁ ଢେଙ୍କାନାଳ ଜିଲା ପକ୍ଷରୁ ଏହି ପ୍ରତିଯୋଗିତାରେ ଖେଳାଳିମାନେ ଭାଗ ନେଇଥିଲେ। ଏ ସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀଙ୍କୁ ସମସ୍ତ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହୋଇପାରିବ।