ଏଏସ୍‌ଆଇଙ୍କ ନାମରେ ଅନୈତିକ ସମ୍ପର୍କ ଅଭିଯୋଗ

ରାଇଘର, ୨।୧୧(ଡି.ଏନ.ଏ.): ନବରଙ୍ଗପୁର ଜିଲା ରାଇଘର ପୋଲିସ ଏଏସ୍‌ଆଇ ବଟକୃଷ୍ଣ ଗୌଡ଼ଙ୍କ ନାମରେ ଜଣେ ବୃଦ୍ଧା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ଏଏସ୍‌ଆଇ ତାଙ୍କ ପୁତ୍ରବଧୂଙ୍କ ସହିତ ଅନୈତିକ ସମ୍ପର୍କ ରଖି ପରିବାର ଉଜାଡ଼ି ଦେଇଥିବା ସେ କହିଛନ୍ତି। ଏ ନେଇ ଅଭିଯୁକ୍ତ ଏଏସ୍‌ଆଇଙ୍କ ବିରୋଧରେ ନଂ. ୨୦୩/୨୧ରେ ଏକ ମାମଲା ରୁଜୁ ହୋଇଛି। ବୃଦ୍ଧଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଏଏସ୍‌ଆଇ ପୁତ୍ରବଧୂଙ୍କ ସହିତ ଅବୈଧ ସମ୍ପର୍କ ରଖୁଥିବା ଜଣାପଡ଼ିବା ପରେ ତାଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି। ଏଏସ୍‌ଆଇ ପ୍ରରୋଚନାରେ ପୁତ୍ରବଧୂ ପୁଅଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଏ ସଂକ୍ରାନ୍ତରେ ନଂ. ୧୯୯/୨୧ ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ବୋହୂଙ୍କ ସମସ୍ତ ସାମଗ୍ରୀ ନେଇଯାଇ ଅନ୍ୟତ୍ର ଥଇଥାନ କରାଇଛି। ବୃଦ୍ଧାଜଣକ ମାନସିକ ଦୁଃଶ୍ଚିନ୍ତାରେ କାଳ କାଟୁଥିବା ଅଭିଯୋଗ କରିବା ସହ ଥାନାଧିକାରୀ ଟଙ୍କଗିରି ଭୋଇଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଛନ୍ତି। ଏ ନେଇ ଥାନାଧିକାରୀ କୁହନ୍ତି, ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହୋଇଛି।