ଅଧିକ ଫର୍ମ ଫିଲଅପ୍‌ ଫି’ ଆଦାୟ ଅଭିଯୋଗ: ପରଶୁରାମ ମହାବିଦ୍ୟାଳୟରେ ତେଜୁଛି ଛାତ୍ର ଅସନ୍ତୋଷ

ଖୋର୍ଦ୍ଧା, ୯।୧୧: ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଫର୍ମ ଫିଲଅପକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ। ଧାର୍ଯ୍ୟ ଦେୟଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଏବଂ ଆଦାୟ ଟଙ୍କାର ରସିଦ ଦିଆଯାଉ ନ ଥିବା ଅଭିଯୋଗରେ ଉତ୍ତେଜନା। ଏଭଳି ଘଟଣା ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡାସ୍ଥିତ ପରଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ୧୯୯୨ ମସିହାରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ବର୍ତ୍ତମାନ ୨୪୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ ଚାଲିଛି। ଶିକ୍ଷା ପରିଷଦ ପକ୍ଷରୁ ଏଥିପାଇଁ ୧୦୪୦ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କଠାରୁ ୧୫୦୦ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।
ଫର୍ମ ଫିଲଅପ ଚାଲିଥିବା ସମୟରେ ଅଧିକ ଟଙ୍କା ଆଦାୟକୁ ଛାତ୍ରୀଛାତ୍ରୀ ବିରୋଧ କରିଥିଲେ। ଏହାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ୧୫୦୦ ଟଙ୍କା ଆଦାୟ କରାଯାଉଥିଲେ ମଧ୍ୟ ଏଥିପାଇଁ କୌଣସି ରସିଦ ପ୍ରଦାନ କରାଯାଉ ନ ଥିବା ମଧ୍ୟ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। କେବଳ ଅଧିକ ଫି’ ଆଦାୟ ନୁହେଁ, ବିଦ୍ୟାଳୟରେ ଆବଶ୍ୟକ ମୌଳିକ ସୁବିଧା ନଥିବା ନେଇ ମଧ୍ୟ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଏବଂ ବିଶ୍ରାମ କକ୍ଷ ବା କମନ ରୁମ ଭଳି ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ନଥିବା ସେମାନେ କହିଛନ୍ତି। ଶ୍ରେଣୀଗୃହରେ ଲାଗିଥିବା ଲାଇଟ ଓ ଫ୍ୟାନ ମଧ୍ୟ ଠିକ ଭାବେ କାମ କରୁନାହିଁ। ଭଙ୍ଗା ଚେୟାର ଓ ଟେବୁଲ ମରାମତି ହେଉନଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପିଇବା ପାଣିର ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀମାନେ ନିକଟସ୍ଥ ଏକ ନଳକୂପ ଉପରେ ର୍ନିଭର କରୁଛନ୍ତି।

ସରକାର ସମସ୍ତଙ୍କ ପାଇଁ ଶିକ୍ଷାକୁ ସୁଲଭ କରିବା ଲକ୍ଷ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରିଥିବା ବେଳେ ଏକ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରୀଛାତ୍ରଙ୍କ ଅଭିଯୋଗର ତଦନ୍ତ କରାଯାଇ ଅଧିକ ଫି’ ଆଦାୟ ଓ ରସିଦ ପ୍ରଦାନ ସମ୍ପର୍କରେ ସ୍ପଷ୍ଟତା ଆଣିବା ସହ ବିଦ୍ୟାଳୟରେ ମୌଳିକ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 

Share