ଦେଶୀ ମଦରେ ଅପମିଶ୍ରଣ ଅଭିଯୋଗ:ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ଭଞ୍ଜନଗର, ୭।୮ (ବାବୁଲା ପ୍ରଧାନ):ଗଞ୍ଜାମ ଜିଲାର ବିଭିନ୍ନ ଦେଶୀ ମଦ ଭାଟିରେ ଅପମିଶ୍ରିତ ଓ ନକଲି ମଦ ପ୍ରସ୍ତୁତ ହେଉଥିବା ନେଇ ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସାଂଗଠନିକ ଜିଲା ପକ୍ଷରୁ ଭଞ୍ଜନଗରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତର ଅଭିଯୋଗ କରାଯାଇଛି। ଦଳର ଜିଲା ସଭାପତି ବି. ଦଣ୍ଡପାଣି ପାତ୍ର କହିଛନ୍ତି ଯେ, ଦେଶୀ ମଦ ପ୍ରସ୍ତୁତିରେ ନିର୍ଦ୍ଧାରିତ ଉପାଦାନ ବଦଳରେ ୟୁରିଆ ଓ ବିଭିନ୍ନ ରାସାୟନିକ ପଦାର୍ଥ ବେଆଇନ ଭାବେ ବ୍ୟବହାର କରାଯାଉଛି। ଏଥିସହ

ଶ୍ରୀ ପାତ୍ରଙ୍କ ଅଭିଯୋଗ କରିଛନ୍ତି ଯେ, ମହୁଲି ବଦଳରେ କେମିକାଲ ବ୍ୟବହାର କରାଯାଉଥିବାରୁ ଏହି ମଦ ସେବନ କରୁଥିବା ଲୋକମାନେ ପେଟ, ଆଖି ଓ କିଡନୀ ସମ୍ବନ୍ଧୀୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ଜିଲାରେ ଏକ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟାର ରୂପ ନେଉଥିବାରୁ ସମ୍ପୃକ୍ତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ଘଟଣାର ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଅପମିଶ୍ରିତ ମଦ ପ୍ରସ୍ତୁତି ନେଇ କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲେ ମଧ୍ୟ ଅଧିକାଂଶ ଥାନାରେ ମାମଲା ରୁଜୁ କରାଯାଇନାହିଁ। ଏହାକୁ ନେଇ ଦଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ଏବଂ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ଗତବର୍ଷ ଏହି ପ୍ରସଙ୍ଗରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ଏବଂ କମିଶନ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତଦନ୍ତ ସଠିକ ଭାବେ ହୋଇନଥିବା ଅଭିଯୋଗ କରି ଶ୍ରୀ ପାତ୍ର ବଜାରରୁ ହଠାତ୍‌ ଦେଶୀ ମଦର ନମୁନା ସଂଗ୍ରହ କରି ଏକ ନିରପେକ୍ଷ ସଂସ୍ଥା ମାଧ୍ୟମରେ ପରୀକ୍ଷା କରିବାକୁ ଦାବି କରିଛନ୍ତି। ଏହାଦ୍ୱାରା ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଜିଲା ସମ୍ପାଦକ ବବି ଅନନ୍ତନାଗ ରଥ, ଯୁଧିଷ୍ଟିର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।