ମଦବିକ୍ରି ବନ୍ଦ କରିବାରୁ ଗାଳି, ଅସଦାଚରଣ ଅଭିଯୋଗ

ଢେଙ୍କାନାଳ ଅଫିସ,୨୪।୫ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବରଦା, କୁଶିଦା, ସୋଗରଦିଆଣୀ ଗ୍ରାମର ମା’ ଦୁର୍ଗତିନାଶିନୀ ନିଶା ନିବାରଣ ମହିଳା ସଂଘ ନ୍ୟାୟ ପାଇଁ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛି। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି, ଗ୍ରାମରେ ଦେଶୀ ମଦ ବ୍ୟବସାୟ ଦିନକୁ ଦିନ ବଢୁଥିବା ବେଳେ ମଦ୍ୟପମାନେ ବିଶୃଙ୍ଖଳା ବଢ଼ାଉଛନ୍ତି। ଏହାକୁ ବିରୋଧ କଲେ ମହିଳାମାନଙ୍କୁ ଗାଳିଗୁଲଜ ଓ ଅସଦାଚରଣ କରାଯାଉଛି। ବର୍ଷକ ମଧ୍ୟରେ ମଦ ପିଇ ଗାଁର ୬ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାରୁ ସେମାନଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାର ପ୍ରତିବାଦ କରି ସଂଘ ପକ୍ଷରୁ ବରଦା ପଞ୍ଚାୟତରେ ମଦ ବିକ୍ରିକୁ ବନ୍ଦ କରାଯିବାରୁ ୪ଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ମହିଳାମାନଙ୍କୁ ଗାଳିଗୁଲଜ କରିବା ସହିତ ଅସଦାଚରଣ କରୁଥିବା ଉଲ୍ଲେଖ କରାଯାଇଛି। ଏ ସଂକ୍ରାନ୍ତରେ ମହିଳାମାନେ ଗଁଦିଆ ଥାନାରେ ଗତ ୨୦ ତାରିଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗ୍ରାମରେ ମଦ୍ୟପଙ୍କ ଉତ୍ପାତ ବନ୍ଦ କରିବା ସହିତ ମଦ ବିକ୍ରି ବନ୍ଦ କରିବା ଏବଂ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ସଂଘର କମଳିନୀ ଖଟୁଆ, ସଞ୍ଜୁ ସାମଲ, ସାରଙ୍ଗ ସାହୁ, ନୋଭା ସାହୁ, ଗୋଲାପ ସାହୁ, ଦଣ୍ଡେଇ ସାହୁ ପ୍ରମୁଖଙ୍କ ସମେତ ବହୁ ମହିଳା ଜିଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ଏଥିସହିତ ମହିଳାମାନେ ଜିଲା ଅବକାରୀ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରିଥିଲେ। ଉପ ଅବକାରୀ ଅଧୀକ୍ଷକ ମହିଳାମାନଙ୍କୁ ବୁଝାଝୁଝା କରିଥିଲେ। ଏ ସଂକ୍ରାନ୍ତରେ ଉପ ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟନାୟକ କହିଛନ୍ତି, ଗଁଦିଆ ବ୍ଲକ ବରଦା ପଞ୍ଚାୟତରୁ ଆସିଥିବା ମହିଳାମାନଙ୍କ ଅଭିଯୋଗ ପାଇଛୁ ା ଅଭିଯୋଗ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।