ରାଶନ ଚାଉଳ ବାଟମାରଣା ଅଭିଯୋଗ

ରାଉରକେଲା ଅଫିସ,୧୩।୫: ରାଉରକେଲା ଯୋଗାଣ ବିଭାଗ ଅଧୀନ ୧୫୦ କଣ୍ଟ୍ରୋଲ ଡିଲରଙ୍କ ଜରିଆରେ ଗରିବ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯାଉଛି। ଏଥିରେ ରାଉରକେଲାର ମୋଟ ୬୮ହଜାର ରାସନ କାର୍ଡଧାରୀ ସାମିଲ ହୋଇଛନ୍ତି। ଚାଉଳ ବଣ୍ଟନରେ ସ୍ବଚ୍ଛତା ଲାଗି ଯୋଗାଣ ବିଭାଗ ତରଫରୁ ମୋବାଇଲ ଲିଙ୍କ୍‌ ଓ ବାୟୋମେଟ୍ରିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏତେସବୁ ବ୍ୟବସ୍ଥା ପରେ ମଧ୍ୟ ଚାଉଳ ହରିଲୁଟ୍‌ କରାଯାଉଥିବା ଜିଲା ଭାଜପା ସଭାନେତ୍ରୀ ଲତିକା ପଟ୍ଟନାୟକ ଅତିରିକ୍ତ ଜିଲାପାଳ ଶୁଭଙ୍କର ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ମହାପାତ୍ର ଅଭିଯୋଗରେ ଦର୍ଶାଇଛନ୍ତି, ଚଳିତ ମାସରେ ହିତାଧିକାରୀଙ୍କୁ ଏକକାଳୀନ ୩ମାସର ଚାଉଳ ବଣ୍ଟନ ପାଇଁ ଆଲଟମେଣ୍ଟ କରାଯାଇଛି। ଏନ୍‌ଏଫ୍‌ଏସ୍‌ଏସ୍‌ରେ ଏପ୍ରିଲରେ ୧୦ହଜାର ୩୯୪ କୁଇଣ୍ଟାଲ ୬କେଜି, ମେ ମାସରେ ୧୧ହଜାର ୭୦୪ କୁଇଣ୍ଟାଲ ୯୨ କେଜି ଏବଂ ଜୁନ୍‌ ମାସରେ ୧୧ହଜାର ୭୦୫ କୁଇଣ୍ଟାଲ ୮୫ କେଜି ଚାଉଳ ଡିଲରଙ୍କ ପାଖକୁ ଆସିଛି। ସେହିପରି ଏସ୍‌ଏଫ୍‌ଏସ୍‌ଏସ୍‌ ଯୋଜନାରେ ଏପ୍ରିଲ ମାସରେ ୨୯୬ କୁଇଣ୍ଟାଲ ୭୨କେଜି, ମେ ମାସରେ ୪୨୩ କୁଇଣ୍ଟାଲ ୩୭କେଜି ଓ ଜୁନ୍‌ ମାସରେ ୪୪୮ କୁଇଣ୍ଟାଲ ୩୪କେଜି ଜାଉଳ ଆଲଟ୍‌ କରାଯାଇଛି। ତେବେ ଡିଲରମାନେ ୩ ମାସର ଚାଉଳ ଉଠାଇଥିଲେ ମଧ୍ୟ କାର୍ଡଧାରୀଙ୍କୁ ୨ମାସର ବଣ୍ଟନ କରିଥିବା ଭାଜପା ସଭାନେତ୍ରୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସରକାରୀ ରେକର୍ଡରେ ଡିଲରମାନେ ୩ ମାସର ଚାଉଳ ପ୍ରଦାନ କରିଥିବା ଦର୍ଶାଉଛନ୍ତି। ସେକ୍ଟର ଅଞ୍ଚଳର କିଛି କଣ୍ଟ୍ରୋଲ ଡିଲର ଓ ଏସ୍‌ଏଚ୍‌ଜି ଏଭଳି ଠକେଇରେ ସମ୍ପୃକ୍ତ ରହିଥିବା ସେ ଉଲ୍ଲେଖ କରିଛନ୍ତି। ଆଗାମୀ ସମୟରେ ଯେମିତି ଗରିବ ଲୋକଙ୍କ ଚାଉଳ ହରିଲୁଟ୍‌ ନ ହୁଏ ସେ ଦିଗରେ ରାଉରକେଲା ଯୋଗାଣ ବିଭାଗ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ନେଇ ରାଉରକେଲା ମହାନଗର ନିଗମ ଯୋଗାଣ ବିଭାଗ ଇନ୍ସପେକ୍ଟର ଲିପ୍‌ସା ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ତିନିମାସର ଆଲଟମେଣ୍ଟ ସମସ୍ତ ରାସନ କାର୍ଡଧିକାରୀଙ୍କୁ ବଣ୍ଟନ କରାଯାଇଛି। ଆମେ ପ୍ରତି ମାସରେ କଣ୍ଟ୍ରୋଲ କେନ୍ଦ୍ର ଯାଞ୍ଚ କରୁଛୁ। କୌଣସି ପ୍ରକାରର ଚଞ୍ଚକତା ଆମ ନଜରକୁ ଆସିନାହିଁ ବୋଲି ସେ କହିଥିଲେ। ସେହିପରି ରାଉରକେଲା ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାରୁ ସେ କହିଲେ, ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ଦେଲେ ତୁରନ୍ତ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।