ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା ଡାକ୍ତରମାନଙ୍କୁ ମାନସିକ ନିର୍ଯାତନା ଏବଂ ଅପମାନଜନକ ବ୍ୟବହାର କରାଯାଉଥିବା ନେଇ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି (ଗାଇନିକ୍) ବିଭାଗର ୩ ଜଣ ମହିଳା ଡାକ୍ତର ବିଭାଗୀୟ ଇନଚାର୍ଜଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ)ଙ୍କୁ ମିଳିତ ଭାବେ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।
ଗତ ନଭେମ୍ବର ୯ ତାରିଖରେ ଦିଆଯାଇଥିବା ଏହି ଚିଠିରେ ଡାକ୍ତରମାନେ ଦର୍ଶାଇଛନ୍ତି ଯେ, ଗତ ୬ ମାସ ଧରି ସେମାନେ ବିଭାଗୀୟ ଇନଚାର୍ଜଙ୍କ ଅଶାଳୀନ ବ୍ୟବହାର, ମାନସିକ ଚାପ ଏବଂ ପ୍ରଶାସନିକ ଅସହଯୋଗର ଶିକାର ହୋଇ ଆସୁଛନ୍ତି। ଇନଚାର୍ଜଙ୍କ ଏଭଳି କାର୍ଯ୍ୟଶୈଳୀ ଯୋଗୁ କାର୍ଯ୍ୟକ୍ଷେତ୍ରରେ ସ୍ୱାଭାବିକ ଭାବେ ଦାୟିତ୍ୱ ନିର୍ବାହ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ବିଭାଗ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ଗର୍ଭବତୀ ମହିଳା ଓ ଅନ୍ୟ ରୋଗୀମାନେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ଉପରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ସିଡିଏମ୍ସଙ୍କୁ ଏନେଇ ପଚରାଯିବାରୁ, ସେ କୌଣସି ଚିଠି ପାଇ ନ ଥିବା କହିଛନ୍ତି।