ଆବାସ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ

ନୂଆଗାଁ,୩୦।୬(ଧନେଶ୍ୱର ସାହୁ): ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନୟମିତତା ହୋଇଛି । ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବାଦ୍‌ ଦିଆଯାଇଛି । ହିତାଧିକାରୀ ଚୟନର ପ୍ରତିବାଦ କରି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଗୁରୁବାର ଧାରଣାରେ ବସିଛନ୍ତି। ଠିକ୍‌ ଭାବେ ତଦନ୍ତ କରି ସେମାନଙ୍କୁ ଆବାସ ଯୋଜନାରେ ସାମିଲ ନ କରିବା ଯାଏ ସେମାନେ ଧାରଣାରୁ ନିବୃତ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାକୁ ଥିବା ହିତାଧିକାରୀଙ୍କ ଏକ ତାଲିକା ପଞ୍ଚାୟତ କାର୍ଯ୍ୟାଳୟରେ ଲଗା ଯାଇଥିଲା । ସେଥିମଧ୍ୟରୁ କେଉଁମାନେ ଅଯୋଗ୍ୟ ସେମାନଙ୍କ ନାମରେ ଅଭିଯୋଗ ଆଣିବା ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ଅଭିଯୋଗ ଆସିଥିବା ହିତାଧିକାରୀଙ୍କ ପୁନର୍ବାର ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଇ ଅନ୍ୟମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ ବ୍ୟବସ୍ଥା କରାଯାଇଛି। ତେବେ ବେରୁହାଁବାରୀ ପଞ୍ଚାୟତର ସନ୍ତୋଷୀ ସାହୁ, ପ୍ରଦୀପ୍ତ କୁମାର ସାହୁ, ପ୍ରଭାସିନୀ ସେଠୀ, ପ୍ରମିଳା ସାହୁ, କୁମୁଦୁନୀ ସାହୁ, ତ୍ରିନାଥ ବେହେରା, କମା ବେହେରା, ନର୍ମଦା ନାୟକ, ବୁଧେଇ ନାୟକ, ରମେଶ ବାରିକ, ବିଷ୍ଣୁପ୍ରିୟା ସାହୁ, ବିଜୟ କୁମାର ସାହୁ ଆବାସ ଯୋଜନାରେ ଗୃହ ପାଇବାକୁ ହକ୍‌ଦାର ଥିବା ବେଳେ ସେମାନଙ୍କ ନାମକୁ ଜାଣିଶୁଣି କାଟି ଦିଆ ଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସେମାନେ ପୂର୍ବରୁ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ, ବିଭାଗୀୟ ସଚିବ, ଜିଲାପାଳ, ଜିଲା ମୂଖ୍ୟ ଉନ୍ନୟନ ଅଧିକାରୀ, ବିଡିଓ, ଚେୟାରମ୍ୟାନ ଆଦିଙ୍କୁ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ପୂର୍ବରୁ ତାଲିକାରେ ନାଁ ଥିବା ବେଳେ ପରବର୍ତ୍ତୀ ମୂହୁର୍ତ୍ତରେ ନାଁକୁ କାହିଁକି କାଟି ଦିଆଗଲା ସେ ବିଷୟରେ ସେମାନଙ୍କୁ ଜଣାଗଲା ନାହିଁ । ଆବାସ ଯୋଜନା ଆଧାରରେ ଯଦି ଟାଇଲ କିମ୍ବା ଆଜବେଷ୍ଟ ଘରଥିବା ଲୋକ ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ତେବେ ଏମାନଙ୍କୁ କାହିଁକି ବାଦ୍‌ ଦିଆଯାଇଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନର୍ମଦା ନାୟକ ଗୋଟିଏ କୁଡିଆରେ ଜରି ପକାଇ ରହୁଥିବା ବେଳେ ବିଜୟ ସାହୁ ଜଣେ ଶାରିରୀକ ଭିନ୍ନକ୍ଷମ ବ୍ୟକ୍ତି। ବେରୁହାଁବାରୀ ପଞ୍ଚାୟତ ଜିଆରଏସ୍‌ ବୁଧେଇ ବଓ୍ବୋଙ୍କ ବୋହୂ ନର୍ମଦା ନାୟକଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବୁଧବାର ଦେବି କହି ୩୦୦ ଟଙ୍କା ଓ ବିଷ୍ଣୁପ୍ରିୟା ସାହୁଙ୍କଠାରୁ ୨୦୦୦ ହଜାର ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ବାବଦରେ ବେରୁହାଁବାରୀ ଜିଆରଏସ୍‌ ପଲ୍ଲବୀଙ୍କୁ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲା କିନ୍ତୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ଠିକ୍‌ ଭାବେ ତଦନ୍ତ କରି ଆବାସ ଯୋଜନାରେ ଘର ପାଇଁ କାର୍ଯ୍ୟାଦେଶ ନ ମିଳିବା ଯାଏ ଧାରଣାରୁ ଉଠିବୁ ନାହିଁ ବୋଲି ଧାରଣାରେ ବସିଥିବା ବ୍ୟକ୍ତିମାନେ କହିଛନ୍ତି। ଏ ବାବଦରେ ଜିଲାପାଳଙ୍କ ସହ ଆଲୋଚନା ଚାଲିଛି ବୋଲି ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି ।