ନିଯୁକ୍ତିରେ ଜାଲିଆତି ଅଭିଯୋଗ

ବାଲେଶ୍ୱର ଅଫିସ,୩।୨: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ଗତ ୨୦୧୩ ଜୁଲାଇ ୧୫ତାରିଖରେ ବିଭିନ୍ନ ପଦବୀ ସହ ୫୧ଟି ମଲ୍ଟି ପରପଜ ହେଲ୍‌ଥ ୱାର୍କର୍‌ ଏମ୍‌ପିଏଚ୍‌ଡବ୍ଲ୍ୟୁ(ଏଫ୍‌) ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ଗୋଟିଏ ପଦବୀ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷିତ ରହିଥିଲା। ଉକ୍ତ ପଦବୀ ନିଯୁକ୍ତିରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଅଭିଯୋଗକୁ ଆଧାର କରି ହାଇକୋର୍ଟ ପୁନର୍ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାଲେଶ୍ୱର ଜିଲା ସ୍ବାସ୍ଥ୍ୟବିଭାଗ ଟାଳଟୁଳ ନୀତି ଦେଖାଇ ଦିନ ପରେ ଦିନ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଏମ୍‌ପିଏଚ୍‌ଡବ୍ଲ୍ୟୁ(ଏଫ୍‌)ର ସଂରକ୍ଷିତ ଭିନ୍ନକ୍ଷମ ପଦବୀ ପାଇଁ ମଧୁସ୍ମିତା ପଲାଇ ଓ ରଶ୍ମିତା ଦେ ଆବେଦନ କରିଥିଲେ। ବିଜ୍ଞାପନରେ (ମାଟ୍ରିକ୍‌+ଏଏନ୍‌ଏମ୍‌)ର ମାର୍କକୁ ଆଧାର କରି ମେରିଟ୍‌ ଆଧାରରେ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ମଧୁସ୍ମିତା ଦୁଇଟି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ଗୋଟିଏରେ ୩୦% ଓ ଅନ୍ୟଟିରେ ୪୦% ଓ ମାଟ୍ରିକ୍‌+ଏଏନ୍‌ଏମ୍‌ ମାର୍କରେ ୬୦% ଥିବା ପ୍ରମାଣ ମିଳିଛି। ଅନ୍ୟପକ୍ଷରେ ରଶ୍ମି ତାଙ୍କର ଭିନ୍ନକ୍ଷମ ସାର୍ଟିଫିକେଟ୍‌ରେ ୫୦% ଥିବା ବେଳେ ମାଟ୍ରିକ୍‌+ଏଏନ୍‌ଏମ୍‌ ମାର୍କରେ ୬୧.୮୯% ରହିଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇ ଚଞ୍ଚକତା ପୂର୍ବକ କମ୍‌ ମାର୍କ ଥିବା ମଧୁସ୍ମିତାଙ୍କୁ ଗତ ୨୦୧୩ ଡିସେମ୍ବର ୬ତାରିଖରେ ଉକ୍ତ ପଦବୀରେ ସୋର ବ୍ଲକ ଗୁଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିଲା। ଏହାର ପ୍ରତିବାଦରେ ସମସ୍ତ ତଥ୍ୟ ଓ ପ୍ରମାଣ ସହ ରଶ୍ମିତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୨୦୨୨ ଜୁଲାଇ ୨୭ ତାରିଖରେ ହାଇକୋର୍ଟ ରଶ୍ମିତାଙ୍କର ମେରିଟ୍‌ ଅଧିକ ଅଛି, ତେଣୁ ପୁଣିଥରେ ଉଭୟଙ୍କର ସାର୍ଟିଫିକେଟ୍‌ ଯାଞ୍ଚ କରି ନିଯୁକ୍ତି ଦିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ ବି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଟାଳଟୁଳ ନୀତି ଦର୍ଶାଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଗଡ଼ାଇ ଚାଲିଥିବା ରଶ୍ମିତା ଅଭିଯୋଗ କରିଛନ୍ତି।
ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ କହନ୍ତି, ଉକ୍ତ ମାମଲାରେ ବିଭାଗ ତରଫରୁ ଉତ୍ତର ରଖାଯିବା ପାଇଁ ହାଇକୋର୍ଟକୁ ପଠାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।