ଲୋଇସିଂହା,୨୨।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହର ପୁନରୁଦ୍ଧାର ଓ ପାଚେରି କାମ ଗତ କିଛି ଦିନ ହେବ କରାଯାଉଛି। ଏଠାରେ ସରକାରୀ ଗାଇଡ୍ ଲାଇନକୁ ଉଲ୍ଲଂଘନ କରି କାମ କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୧୯୮୪ ମସିହାରେ ଲୋଇସିଂହା ବ୍ଲକ ତଥା ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଅଧୀନ କେଉଁଟିପାଲି ଗ୍ରାମର ନୀଳମଣି ନାଏକ ସମିତିରୁ କୃଷି ଋଣ ନେଇଥିଲେ। ୧୯୮୮ରେ ବିଭାଗ ପକ୍ଷରୁ ଋଣ ଖିଲାପତ୍ ଅଭିଯୋଗରେ ତାଙ୍କ ଘରେ ଚଢାଉ କରାଯାଇ କେତେକ ସାମଗ୍ରୀ ଜବତ ହୋଇଥିଲା। ଏହି ସମୟରେ ନୀଳମଣିଙ୍କ ବାପା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ କର୍ପୁର୍ଚ୍ଚନ ନାଏକଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ ହୋଇଥିଲା। ସେହି ଜବତ ସାମଗ୍ରୀକୁ ସମିିତିର ଗୋଦାମ ଘରେ ପକାଇ ରଖାଯାଇଥିଲା। ସମିତିରେ ବନ୍ଧକ ପଡିଛି ସ୍ବାଧୀନତା ସଂଗ୍ରମୀଙ୍କ ଦସ୍ତାବିଜ୍ ଶୀର୍ଷକ ଖବର ଧରିତ୍ରୀରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିଲା। ଏହାପରେ ଦୀର୍ଘ ୩୪ ବର୍ଷ ପରେ ୭ ଅକ୍ଟୋବର ୨୦୨୨ରେ ବଲାଙ୍ଗୀର ସମବାୟ ବିଭାଗ ପକ୍ଷରୁ ଗୋଦାମ ଘରେ ଜବତ ହୋଇଥିବା ବାକ୍ସକୁ ଖୋଲାଯାଇଥିଲା। ସେତେବେଳେ ଅଧିକାଂଶ ଦସ୍ତାବିଜ ଉଇ ଖାଇଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଥିଲା ା ପରବର୍ତ୍ତୀ ସମୟରେ ଏହାକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସମୟରେ ସମିତିର ଅବହେଳିତ ଗୋଦାମ ଘରର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ତେବେ ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ କାମ ହେଉ ନ ଥିବା ଅଭିଯୋଗ ହେଉଛି। ଗୋଦାମ ଘର ଛାଉଣିରେ ଅନ୍ୟ ରଙ୍ଗର ଆଜବେଷ୍ଟସ ବ୍ୟବହାର କରାଯାଇଥିବା ଅଭିଯୋଗ ହେଉଛି।
ସେହିପରି ସମିତିର ସମ୍ମୁଖ ଭାଗରେ ପାଚେରି ନିର୍ମାଣ ହେଉଛି। କିନ୍ତୁ ପାଚେରି ନିଅଁରେ ସିମେଣ୍ଟ ଇଟା ବଦଳରେ ପଥର ଯୋଡାଇ କରାଯାଇଛି। ଏହାଛଡା ନିଅଁର ପ୍ଲିନ୍ଥ ଯୋଗୀସର୍ଡା-ବାଦିବାହାଲ ଆରଡି ରାସ୍ତାରୁ ଉଚ୍ଚତା ନ ହୋଇ ତଳେ ରହିଛି। ସିମେଣ୍ଟ ଇଟା ବଦଳରେ ପୋଡା ଇଟା ବ୍ୟବହାର କରାଯାଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ସମିତିର ସମ୍ପାଦକ ଘନଶ୍ୟାମ ପୁଟା କହିଛନ୍ତି, ଏଣିକି ବୁଝାବୁଝି କରି ଗାଇଡ୍ ଲାଇନ ଅନୁଯାୟୀ କାମ କରିବାକୁ କୁହାଯିବ ବୋଲି ସେ କହିଛନ୍ତି।