ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ରଣପୁର,୭ା୫(ସ୍ବ.ପ୍ର.): ଏବେ କିଛିଦିନ ହେଲା ରଣପୁର ଓ ଏହାର ଆଖପାଖ ଅଞ୍ଚଳରେ ଅସହ୍ୟ ଗରମ ସହିତ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ହେଉଛି। ସାଧାରଣ ଲୋକମାନଙ୍କୁ ଘରୁ ବାହାରକୁ ଯିବାକୁ ସ୍ଥାନୀୟ ପ୍ରଶାସନ ତାଗିଦ କରିଛନ୍ତି। ହେଲେ କିଛିଲୋକ ଏହାକୁ ନ ମାନି ନିଜର କାର୍ଯ୍ୟ କରୁଛନ୍ତି। ନୟାଗଡ ଜିଲା ରଣପୁର ବ୍ଲକରେ ରବିବାର ଅଂଶୁଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ପରିବାର ଓ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରଣପୁର ବ୍ଲକ ଅନ୍ତର୍ଗତ କାସାନ୍ଦା ଗ୍ରାମରେ।

ସୂଚନାନୁସାରେ, ଉକ୍ତ ଗ୍ରାମର ଭଗବାନ ପରିଡ଼ା (୬୨) ସବୁଦିନ ପରି ରବିବାର ସକାଳୁ ତୋଟାକୁ ଆମ୍ବ ଜଗିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲେ। ତେବେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଯାଇ ଖୋଜାଖୋଜି କରିଥିଲେ। ଭଗବାନ ଆମ୍ବ ତୋଟାରେ ଆଚେତ ହୋଇପଡିଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ ଓ ଗ୍ରାମବାସୀ। ଏକ ଅଟୋ ସାହାଯ୍ୟରେ ସେଠାରୁ ଉଦ୍ଧାର କରି ନିକଟସ୍ଥ ସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ଅସହ୍ୟ ଖରାକୁ ସମ୍ଭାଳି ନ ପାରି ଅଂଶୁଘାତରେ ଭଗବାନଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସରକାରୀ ସହାୟତା ତାଙ୍କ ପରିବାର ଲୋକଙ୍କୁ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି। ଏନେଇ ରଣପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।