Categories: ଜାତୀୟ

ଜାନୁୟାରୀ ୨୬ କାର୍ଯ୍ୟକ୍ରମ ପାଇଁ କର୍ମଚାରୀଙ୍କ ଠାରୁ ଚାନ୍ଦା ଆଦାୟ କରିଥିବା ଅଭିଯୋଗ: ଗୋଆ ସରକାରଙ୍କୁ ଘେରିଲେ ବିରୋଧୀ…

ପଣଜୀ,୨୫।୧ : ଜାନୁଆରୀ ୨୬ କାର୍ଯ୍ୟକ୍ରମ ପାଇଁ ଦକ୍ଷିଣ ଗୋଆର ଜିଲା ମାଜିଷ୍ଟ୍ରେଟ ସରକାରୀ କର୍ମଚାରୀଙ୍କଠାରୁ ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଆମ ଆଦମୀ ପାର୍ଟି ଏବଂ ଗୋଆ ଫରୱାର୍ଡ ପାର୍ଟି ଗୋଆ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଉଭୟ ଦଳ ଅଭିଯୋଗ କରିଛନ୍ତି ଯେ ଗୋଆ ସରକାର ରାଜକୋଷକୁ ଖାଲି କରିଛନ୍ତି, ଯେଉଁ କାରଣରୁ ଚାନ୍ଦା ସଂଗ୍ରହ କରି ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଯଦିଓ ଜିଲା ମାଜିଷ୍ଟ୍ରେଟ ସ୍ପଷ୍ଟ କରିଛନ୍ତି ଯେ ଏହି ଦାନ ସାମାଜିକ କଲ୍ୟାଣ କାର୍ଯ୍ୟ ପାଇଁ ସ୍ବେଚ୍ଛାକୃତ ଭାବରେ ସଂଗ୍ରହ କରାଯାଉଛି ଏବଂ ଏହା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ସହିତ ଜଡିତ ନୁହେଁ।
ଖବର ଅନୁଯାୟୀ, ଦକ୍ଷିଣ ଗୋଆ ଜିଲାର କଲେକ୍ଟର ଜ୍ୟୋତି କୁମାରୀ ଜାନୁଆରୀ ୧୯ ରେ ଏକ ସର୍କୁଲାର ଜାରି କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜିଲା ମାଜିଷ୍ଟ୍ରେଟ ଏହି ସର୍କୁଲାରରେ ଲେଖିଛନ୍ତି ଯେ ଜାନୁଆରୀ ୨୬ରେ ଦକ୍ଷିଣ ଗୋଆ କଲେକ୍ଟରେଟ ଦ୍ୱାରା ମାତାନି ସାଲଦାନା ଆଡମିନିଷ୍ଟ୍ରେଟିଭ କମ୍ପ୍ଲେକ୍ସରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସମସ୍ତ ସ୍ଥାୟୀ କର୍ମଚାରୀ ଏବଂ ଅଧିକାରୀ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଦାନ କରିବାକୁ ଚାହାଁନ୍ତି, ତେବେ ପ୍ରତ୍ୟେକ ବ୍ୟକ୍ତି ଏକ ହଜାର ଟଙ୍କା ଯୋଗଦାନ କରିପାରିବେ । ଏହି ସର୍କୁଲାରରେ ଅଧିକାରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା ଯେଉଁମାନେ ଏହି ଦାନ ସଂଗ୍ରହ କରିବାର ଦାୟିତ୍ୱ ପାଇଥିଲେ।

ଏବେ ମାଜିଷ୍ଟ୍ରେଟଙ୍କ ଏହି ସର୍କୁଲାରକୁ ନେଇ ଉତ୍ତେଜନା ଦେଖାଦେଇଛି। ଗୋଆ ଫରୱାର୍ଡ ପାର୍ଟି ମୁଖ୍ୟ ବିଜୟ ସର୍ଦ୍ଦାର ଏହି ସର୍କୁଲାର ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜୟ ସର୍ଦ୍ଦାର ଟୁଇଟ କରି କହିଛନ୍ତି ଯେ ଏହା ଚାନ୍ଦା ଅବା ବଟି ଆଦାୟ? ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଗୋଆ ସରକାର ସମ୍ପୂର୍ଣ୍ଣ କାଙ୍ଗାଳ ହୋଇସାରିଛନ୍ତି କି? ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ତାଙ୍କ କ୍ୟାବିନେଟର ମେଗା ଇଭେଣ୍ଟରେ ଟ୍ରେଜେରୀ ଖାଲି ହୋଇଯାଇଛି ଏବଂ ବର୍ତ୍ତମାନ ସରକାର ଦାନ ନେଇ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।
ଗୋଆରେ ଆମ ଆଦମୀ ପାର୍ଟି ସଭାପତି ଅମିତ ପାଲେକର ଟୁଇଟ କରି କହିଛନ୍ତି ଯେ ଗୋଆର ମୁଖ୍ୟମନ୍ତ୍ରୀ, କାର୍ଯ୍ୟକ୍ରମ ତଥା ବ୍ୟୟବରାଦ ପାଇଁ ଆପଣଙ୍କ ପାଖରେ ବହୁତ ଟଙ୍କା ଅଛି, କିନ୍ତୁ ଆପଣ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସରକାରୀ କର୍ମଚାରୀଙ୍କଠାରୁ ଟଙ୍କା ସଂଗ୍ରହ କରୁଛନ୍ତି କି? ଏନେଇ ଲାଜ ଲାଗିବା କଥା।

Share