Categories: ଜାତୀୟ

ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଛାତ୍ର-ସୁରକ୍ଷାକର୍ମୀ ମୁହାଁମୁହିଁ

ପ୍ରୟାଗରାଜ,୧୯।୧୨: ଉତ୍ତରପ୍ରଦେଶ ପ୍ରୟାଗରାଜର ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ଛାତ୍ର ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ କ୍ୟାମ୍ପସ୍‌ରେ ଫାୟାରିଂ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବା ବେଳେ କାହାରିକୁ ଗୁଳି ବାଜି ନାହିଁ। ଏବେବି କ୍ୟାମ୍ପସ୍‌ ପରିସରରେ ଉତ୍ତେଜନା ଜାରି ରହିଛି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ଛାତ୍ର ନେତା ବିବେକାନନ୍ଦ ପାଠକ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବ୍ୟାଙ୍କକୁ ଯିବା ପାଇଁ ପହଞ୍ଚିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଗେଟ୍‌ ଖୋଲିବାକୁ ମନା କରିଦେଇଥିଲେ ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଛାତ୍ର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। କଥା ଏତେ ଦୂର ବଢ଼ିଯାଇଥିଲା ଯେ ଉଭୟଙ୍କ ମଧ୍ୟରେ ମାରପିଟ୍‌ ଓ ପଥର ଫିଙ୍ଗା ଆରମ୍ଭ ହୋଇଯାଇଥିଲା। ଏଥିରେ ଛାତ୍ର ନେତା ବିବେକାନନ୍ଦ ପାଠକ, ଅମିତ କୁମାର ଏଲ୍‌ଏଲ୍‌ବି ଛାତ୍ରଙ୍କ ସମେତ ଅନେକ ଛାତ୍ର ଆହତ ହୋଇଥିଲେ। ଏହାପରେ ସୁରକ୍ଷାକର୍ମୀ ପାୟାରିଂ କରିଥିବା ବେଳେ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା ଆରମ୍ଭ କରିବା ସହ ବାଇକ୍‌ରେ ନିଆଁ ଲଗାଇଦେଇଥିଲେ। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। ବର୍ତ୍ତମାନ ସ୍ଥିତିି ନିୟନ୍ତ୍ରଣରେ ଥିବା ବେଳେ ପୋଲିସ ଉତ୍ତ୍ୟକ୍ତ ଛାତ୍ରଙ୍କ ସହ ଆଲୋଚନା କରୁଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Share