Categories: ଜାତୀୟ

ସମଲିଙ୍ଗୀ ବିବାହ ସ୍ବୀକୃତି ଆବେଦନ ଖାରଜ

ଆଲ୍ଲାହାବାଦ,୧୫।୪: ଉତ୍ତରପ୍ରଦେଶର ଦୁଇ ମହିଳା ସେମାନଙ୍କ ବିବାହକୁ ସ୍ବୀକୃତି ଦେବା ଲାଗି ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହିନ୍ଦୁ ବିବାହ ଆଇନ ସେମାନଙ୍କ ବିବାହକୁ ବିରୋଧ କରି ନ ଥିବା ସେମାନେ ଯୁକ୍ତି ଦର୍ଶାଇଥିଲେ। ତେବେ ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏଭଳି ବିବାହକୁ ବିରୋଧ କରାଯାଇଥିଲା। ସମଲିଙ୍ଗୀ ବିବାହ ଭାରତୀୟ ସଂସ୍କୃତି ଓ ଧର୍ମର ବିରୋଧୀ। ଭାରତୀୟ ଆଇନ ଅନୁଯାୟୀ ଏଭଳି ବିବାହ ଅବୈଧ ବୋଲି ୟୁପି ସରକାରଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ।

ଅଞ୍ଜୁ ଦେବୀ ନାମ୍ନୀ ମହିଳାଙ୍କ ୨୩ ବର୍ଷୀୟ ଝିଅଙ୍କୁ ଅନ୍ୟ ଜଣେ ୨୨ ବର୍ଷୀୟା ଯୁବତୀ ବେଆଇନ ଭାବେ ଅଟକ ରଖିଥିବା ସେ କୋର୍ଟଙ୍କୁ ଜଣାଇଥିଲେ। ଉଭୟ ଝିଅଙ୍କୁ ଶୁଣାଣି ଲାଗି ହାଜର କରାଇବା ପାଇଁ କୋର୍ଟ ରାଜ୍ୟ ସରକାରଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୭ ତାରିଖରେ ସେମାନେ ଜଷ୍ଟିସ୍‌ ଶେଖର କୁମାର ଯାଦବଙ୍କ ଅଦାଲତରେ ହାଜର ହୋଇ ପରସ୍ପରକୁ ବିବାହ କରିଥିବା ଜଣାଇଥିଲେ। ଏଥିସହିତ ସେମାନଙ୍କ ବିବାହକୁ ସ୍ବୀକୃତି ଦେବା ଲାଗି ସେମାନେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ସରକାରୀ ଓକିଲ କହିଥିଲେ, ଅନ୍ୟ ଦେଶରେ ବିବାହ ଏକ ଠିକା ହୋଇଥିବାବେଳେ ହିନ୍ଦୁ ବିବାହ ଏକ ସଂସ୍କାର, ଯାହା ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମଧ୍ୟରେ ହୋଇଥାଏ। ସରକାରୀ ଓକିଲଙ୍କ ଯୁକ୍ତି ପରେ ଅଦାଲତ ଦୁଇ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

Share