Categories: ଜାତୀୟ

ଆଜମ୍‌ ଖାନ୍‌ଙ୍କୁ ପୁଣି ଝଟ୍‌କା

ଲକ୍ଷ୍ନୌ,୨୮।୭: ୨୦୧୯ର ଘୃଣା ଭାଷଣ ମାମଲାରେ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଏହି ମାମଲାରେ ତାଙ୍କୁ ସ୍ବର ନମୂନା(ଭଏସ୍‌ ସାମ୍ପୁଲ) ଦେବାକୁ ହେବ ବୋଲି କୋର୍ଟ କହିଛନ୍ତି। ତେବେ ସେ ଉତ୍ତରପ୍ରଦେଶ ରାମପୁରର ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଗୁରୁବାର ତାଙ୍କ ଆବେଦନକୁ ଖାରଜ କରି ସ୍ବର ନମୂନା ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ବେଳେ ସମାଜବାଦୀ ପାର୍ଟିର ଉତ୍ତରପ୍ରଦେଶର ଏକ ରାଲିରେ ଆଜମ ଖାନ୍‌ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଘୃଣିତ ମନ୍ତବ୍ୟ ଦେଇଥିଲେ। ଏଥିସହ ସେ ନିର୍ବାଚନ କମିଶନ ଏବଂ ତତ୍କାଳୀନ ରାମପୁର ଜିଲାପାଳଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ନିର୍ବାଚନକୁ ନେଇ ମିଥ୍ୟା ମନ୍ତବ୍ୟ ଦେବା, ସର୍ବସାଧାରଣରେ କୁତ୍ସା ରଟନା କରିବା ନେଇ ଆଜମଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଏବଂ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୫ରେ ମାମଲା ରୁଜୁ ହୋଇଥିଲା। ଶାହଜାଦନଗରର ଧାମୋରାରେ ରାଲିକୁ ସମ୍ବୋଧିତ କଲାବେଳେ ୟୁପି ମୁଖ୍ୟମନ୍ତ୍ରୀ ଜଣେ ହତ୍ୟାକାରୀ ଏବଂ ଅଫିସରମାନେ ତାଙ୍କୁ ମାରିଦେବାକୁ ଚାହାନ୍ତି ବୋଲି ଆଜମ କହିଥିଲେ। ନିର୍ବାଚନ କମିଶନଙ୍କ ବିରୋଧରେ ସେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

Share