ବ୍ରାହ୍ମଣୀ କୂଳର ଶୋଷିଲା ଗଁା କମଳାଙ୍ଗ

ଢେଙ୍କାନାଳ ଅଫିସ, ୧୩।୪: ଗଁା ନିକଟରେ ପ୍ରବାହିତ ହେଉଛି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ। ଶିଳ୍ପସଂସ୍ଥା ପାଣି ଶୋଷୁଛନ୍ତି। ଜମିକୁ ଜଳଯୋଗାଣ ହେଉଛି। ହେଲେ ନଦୀ ନିକଟରେ ଶୋଷରେ ଆଉଟୁପାଉଟୁ ହେଉଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗ ପଞ୍ଚାୟତର କମଳାଙ୍ଗ ଗ୍ରାମବାସୀ। ବିଶୁଦ୍ଧ ଜଳଯୋଗାଣ ପାଇଁ ପ୍ରଶାସନ ଏବଂ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ଏହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ସେମାନେ।
ଅଭିଯୋଗ ଅନୁଯାୟୀ, କମଳାଙ୍ଗ ପଞ୍ଚାୟତର ଜନସଂଖ୍ୟା ୭,୦୦୦ରୁ ଅଧିକ। ତେବେ ପଞ୍ଚାୟତ ସଦର ଅର୍ଥାତ୍‌ କମଳାଙ୍ଗ ଗ୍ରାମରେ ନଳକୂପ କିମ୍ବା ଗଭୀର ବୋରିଂ ବ୍ୟବସ୍ଥା ନାହିଁ। ଜଳଯୋଗାଣ ପାଇଁ କୌଣସି ପ୍ରକଳ୍ପ ମଧ୍ୟ କରାଯାଇନାହିଁ। ଫଳରେ ଗ୍ରାମର ମହିଳାମାନେ ବର୍ଷସାରା ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରୁଛନ୍ତି। ତେବେ ଖରା ଆସିଲେ ସମସ୍ୟା ବଢିଯାଉଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ନଦୀ ପଠାରେ ଚୁଆ ଖୋଳି ପାଣି ସଂଗ୍ରହ ପାଇଁ ଘଣ୍ଟା ଘଣ୍ଟା ସମୟ ଚାଲିଯାଉଛି। ଏହି ପାଣି ମଧ୍ୟ ସ୍ବାସ୍ଥ୍ୟ ଉପଯୋଗୀ ହେଉନାହିଁ। କାରଣ ନଦୀକୂଳରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନର ବର୍ଜ୍ୟବସ୍ତୁ ନଦୀ ପାଣିକୁ ପ୍ରଦୂଷିତ କରୁଛି। ଏହାଦ୍ୱାରା ମାରାତ୍ମକ ରୋଗ ହେବାର ଆଶଙ୍କା ରହୁଥିଲେ ମଧ୍ୟ ବିକଳ୍ପ ନ ଥିବାରୁ ଲୋକେ ଏହାକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଗତ ସପ୍ତାହରେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏ ଦିଗରେ କେହି ଗୁରୁତ୍ୱ ଦେଉନାହାନ୍ତି। ତେଣୁ ଗ୍ରାମକୁ ତୁରନ୍ତ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରିବା ପାଇଁ ପଞ୍ଚାୟତ ଜନପ୍ରତିନିଧି ଏବଂ ଗ୍ରାମବାସୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା କୁହନ୍ତି, ଅଭିଯୋଗ ପାଇଛୁ। ବିଭାଗୀୟ ଯନ୍ତ୍ରୀ ଗ୍ରାମକୁ ଯାଇ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ। ତେବେ ସରପଞ୍ଚ ଅନୁପସ୍ଥିତ ଥିବାରୁ ଆଲୋଚନା ହୋଇପାରିନାହିଁ। ଯନ୍ତ୍ରୀମାନେ ଖୁବ୍‌ଶୀଘ୍ର ପଞ୍ଚାୟତ ବୁଲି କେଉଁ କେଉଁ ଜାଗାରେ ସମସ୍ୟା ରହିଛି ଦେଖିବେ। ଏହାପରେ ସମାଧାନର ବାଟ ବାହାରିବ।