Categories: ଜାତୀୟ

‘ରାହୁଲ ଯାହା ନିଷ୍ପତ୍ତି ନେବେ ତାକୁ ମାନିବି’

ଚଣ୍ଡିଗଡ଼/ନୂଆଦିଲ୍ଲୀ,୬।୨: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନକୁ ନେଇ ବିବାଦ ଦେଖାଦେଇଛି। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଜଣେ ନେତାଙ୍କ ନାମ ଘୋଷଣା କରିବେ ବୋଲି ସୂଚନା ମିଳିଛି।

ତେବେ ରାଜ୍ୟ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଚନ୍ନି ଏହି ଦୌଡ଼ରେ ଆଗରେ ଥିବା ଜଣାପଡ଼ୁଥିବା ବେଳେ ସିଦ୍ଧୁ ଦଳୀୟ ନେତୃତ୍ୱକୁ ସମାଲୋଚନା କରିବାକୁ ପଛାଇ ନ ଥିଲେ। ସେ ଚନ୍ନିଙ୍କୁ ସମାଲୋଚନା କରିବା ସହ ଦଳ ଜଣେ ସଚ୍ଚୋଟ ଓ ସ୍ବଚ୍ଛ ଟ୍ରାକ୍‌ ରେକର୍ଡ ଥିବା ବ୍ୟକ୍ତିଙ୍କୁ ଚୟନ କରିବା ଆବଶ୍ୟକ ବୋଲି କହିଥିଲେ। ତେବେ ଶୁକ୍ରବାର ଚରଣଜିତ୍‌ଙ୍କ ପୁତୁରା ଭୂପେନ୍ଦ୍ର ସିଂ ହନିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନିଲଣ୍ଡରିଂ ମାମଲାରେ ଗିରଫ କରିବା ପରେ ଏହା ସିଦ୍ଧୁଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ରାହୁଲ ଯାହା ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ କରିବେ ବୋଲି ସିଦ୍ଧୁ ଟୁଇଟ କରି କହିଛନ୍ତି। ସେ ପରିବର୍ତ୍ତନ ଆଣିବାକୁ କଂଗ୍ରେସରେ ଯୋଗ ଦେଇଛନ୍ତି, ପଦପଦବୀ ପାଇଁ ନୁହେଁ। ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ କି ନାହିଁ, ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ରହିବେ ବୋଲି ସିଦ୍ଧୁ କହିଛନ୍ତି।

Share